ଆଜି ଶ୍ରୀଜୀଉଙ୍କ ସୁନା ବେଶ। ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମହାବାହୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନା ଆଭୂଷଣ ଲାଗି ହେବେ ମହାପ୍ରଭୁ, ଦୁଇ ପୟର, ଦୁଇ ଭୁଜ, କିରିଟି ସମେତ ୩୫ରୁ ଉର୍ଦ୍ଧ୍ବ ଅଳଙ୍କାର ଲାଗି ହେବ । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ ସୁନାବେଶ । ରାତି ୧୧ ଯାଏ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରି ପାରିବେ ଭକ୍ତ । ମହାପ୍ରଭୁ ରତ୍ନସିଂହାସନରେ ଥିବାବେଳେ ୫ ଥର ସୁନା ବେଶ ହେଉଥିବାବେଳେ ରଥ ଉପରେ ମାତ୍ର ଥରେ ସୁନା ବେଶରେ ଦର୍ଶନ ଦେଇଥା’ନ୍ତି ମହାବାହୁ । ସୁନାବେଶକୁ ରାଜରାଜେଶ୍ବର ବେଶ୍ ମଧ୍ୟ କୁହାଯାଏ । ରଥଯାତ୍ରା ଓ ବାହୁଡା ଭଳି ସୁନାବେଶ ମଧ୍ୟରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଗତକାଲି ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ବାହୁଡ଼ା ଯାତ୍ରା ଆୟୋଜିତ ହୋଇଥିଲା।