ଅଷ୍ଟ୍ରେଲିଆ ଗସ୍ତରେ କୋହଲି-ଗମ୍ଭୀରଙ୍କ ମତାନ୍ତର!: ମୁଖ୍ୟ ପ୍ରଶିକ୍ଷକଙ୍କ କଥା ମାନିଲେନି ଭାରତୀୟ ବ୍ୟାଟ୍ସମ୍ୟାନ୍?

Published: Feb 17, 2025, 10:27 am IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳକୁ ୩-୧ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ଦଳରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଖରାପ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ୪ ଟି ଟେଷ୍ଟ ମ୍ୟାଚ୍‌ରେ ଫ୍ଲପ ହେବା ପରେ ରୋହିତ ଶର୍ମାଙ୍କୁ ପଞ୍ଚମ ଟେଷ୍ଟରୁ ବାହାରେ ବସିବାକୁ ପଡିଥିଲା। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ। ତେବେ ଗଣମାଧ୍ୟମ ରିପୋର୍ଟରେ ଏବେ ବଡ ଦାବି କରାଯାଉଛି। କୁହାଯାଉଛି ଯେ, ବିରାଟ କୋହଲିଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଜସପ୍ରୀତ ବୁମ୍ରାଙ୍କ ପୂର୍ବରୁ ବିରାଟ କୋହଲି ଏହି ଅଫର ପାଇଥିଲେ!:

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଚାହୁଁଥିଲେ ଯେ, ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟ ପାଇଁ ଅଧିନାୟକ ହୁଅନ୍ତୁ, କିନ୍ତୁ ବିରାଟ କୋହଲି ଗୌତମ ଗମ୍ଭୀରଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯାହା ପରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଦଳର ନେତୃତ୍ଵ ନେଇଥିଲେ। ତେବେ ବିରାଟ କୋହଲି ଅଧିନାୟକତ୍ୱର ଅଫରକୁ ପ୍ରତ୍ୟାଖ୍ୟାନ କରିବା ଏହା ପ୍ରଥମ ଘଟଣା ନୁହେଁ। ନିକଟରେ ବିରାଟ କୋହଲି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରଣଜୀ ଟ୍ରଫିରେ ଦିଲ୍ଲୀ ଅଧିନାୟକ ହେବାକୁ ମନା କରି ଦେଇଥିଲେ। ବାସ୍ତବରେ ଏହା କୁହାଯାଇଥିଲା ଯେ, ବିରାଟ କୋହଲି ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ଅଧିନାୟକ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।

Related posts