କର୍ଣ୍ଣାଟକ ରାଜନୈତିକ ନାଟକରେ ସବୁଦିନ କିଛି ଭିନ୍ନ ଭିନ୍ନ ମୋଡ଼ ଦେଖିବାକୁ ମିଳୁଛି । କଂଗ୍ରେସ-ଜେଡିଏସ୍ ମେଣ୍ଟ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଗୃହରେ ଆସ୍ଥା ଭୋଟ ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ବାଚସ୍ପତିଙ୍କୁ କହିଥିବା ବେଳେ ଆଜି ବିଜେପି ମଧ୍ୟ ଆସ୍ଥା ଭୋଟ ହେବା ସପକ୍ଷରେ ଯୁକ୍ତି ବାଢ଼ିଥିଲା। ତେବେ ଆସନ୍ତାକାଲି ସୁପ୍ରିମକୋର୍ଟରେ କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଂକଟ ସମ୍ପର୍କରେ ଶୁଣାଣି ହେବ। ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକମାନଙ୍କ ଆବେଦନର ଶୁଣାଣି କରିବେ। ଏଥିସହ ବାଚସ୍ପତି ରମେଶ କୁମାର କରିଥିବା ଆବେଦନର ମଧ୍ୟ ଶୁଣାଣି ହେବ। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ବାଚସ୍ପତି ଗ୍ରହଣ କରୁ ନଥିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ବିଜେପି ବିଧାନସଭାରେ ହଙ୍ଗାମା କରିବାରୁ ବାଚସ୍ପତି ଆସନ୍ତା ଗୁରୁବାର ଦିନ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆସ୍ଥା ଭୋଟ ପରେ ହିଁ ବିଧାନସଭା ଚାଲିବ ବୋଲି ମଧ୍ୟ ସେ କହିଛନ୍ତି। ଅନ୍ୟପକ୍ଷରେ ସ୍ଥିତି ସମ୍ଭାଳିବା ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଦଳର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ। ଏହି ବୈଠକ ପରେ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ସରକାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଘୋଷଣା କରିଥିଲେ।