
ଭୁବନେଶ୍ବର: ଆଜି ମହାଶିବରାତ୍ରିରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଘଟିଲା ମହା ଅଘଟଣ। ମହାଦୀପ ନେଇ ମନ୍ଦିର ଉପରକୁ ଯିବା ବେଳେ ଜଣେ ସେବକ ଖସିପଡି ତଳେ ପଡିଯାଇଥିଲେ। ମହାଦୀପ ଧରି ସେ ତଳେ ପଡିଥିବାରୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କୁ କ୍ୟାପିଟାଲ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଯୋଗେନ୍ଦ୍ର ସମର୍ଥା ବୋଲି ଜଣାପଡିଛି।
ତେବେ ସେ ଦୀପ ସହିତ ତଳେ ପଡିଥିବାରୁ ଏଥିରେ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସେବକ ହୋଇଥିବା ବେଳେ ଜଣେ ପୋଲିସ ଅଧିକାରୀ ଅଛନ୍ତି। ଏମାନଙ୍କ ଗୋଡରେ ତେଲ ପଡି ପୋଡିଯାଇଥିବାରୁ ଫୋଟକା ହୋଇପଡିଛି।
ଏହି ଖବର ଜଣାପଡିବା ପରେ କ୍ୟାପିଟାଲ ହସପିଟାଲ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ତାଙ୍କ ସହିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ସ୍ଥାନୀୟ ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ।
ଏହି ଘଟଣା ନେଇ ଭକ୍ତଙ୍କ ମହଲରେ ଅସନ୍ତୁଷ୍ଠ ସୃଷ୍ଟି ହୋଇଛି। ଘଟଣାରୁ ପ୍ରକାଶ ଯେ, ମହାଦୀପ ନେବା ବେଳେ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଯାହାକୁ ଉପସ୍ଥିତ ଭକ୍ତମାନେ ନାପସନ୍ଦ କରିଥିଲେ। ତେବେ ଏହି ଘଟଣା ଉପରେ ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।