
ଭୁବନେଶ୍ୱର: କର୍ତ୍ତବ୍ୟ ସମୟରେ ଅସାଧାରଣ କାର୍ଯ୍ୟଦକ୍ଷତା, ସଜାଗ, ସତର୍କତା ଏବଂ ତତ୍ପରତା ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଚାରି ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି। ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସମାରୋହରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରମୁଖ ନିରାପତ୍ତା ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।
କୋରାପୁଟ ଷ୍ଟେସନର ବରିଷ୍ଠ ସହାୟକ ଲୋକୋ ପାଇଲଟ୍ ମୁଖରାଜ ମୀନା, ଚିମିଡିପାଲି ଷ୍ଟେସନର ଗ୍ୟାଙ୍ଗ୍ ନମ୍ବର ୧୦ ର ଟ୍ରାକ୍ ମେଣ୍ଟେନର -IV ସିଙ୍ଗାମପାଲି ଭେଙ୍କଟ କ୍ରୀଷ୍ଣା, ଆରଣ୍ଡ ଷ୍ଟେସନର ଟ୍ରାଫିକ୍ ପଏଣ୍ଟସମ୍ୟାନ୍ ରମେଶ ମହାନନ୍ଦ ଏବଂ ସିମାଞ୍ଚଳମ ଷ୍ଟେସନର ବରିଷ୍ଠ ଗୁଡ଼ସ ଟ୍ରେନ୍ ମ୍ୟାନେଜର ଚାଲୁମୁରି ରମଣା ନାଇଡୁଙ୍କୁ କର୍ତ୍ତବ୍ୟ ସମୟରେ ସେମାନଙ୍କର ଅସାଧାରଣ ସମର୍ପଣ, ସଜାଗ ଏବଂ ସତର୍କତା ପାଇଁ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।
ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ଏହି କର୍ମଚାରୀମାନଙ୍କୁ ସେମାନଙ୍କର କାର୍ଯ୍ୟ ତତ୍ପରତା ଏବଂ ଉଲ୍ଲେଖନୀୟ ସତର୍କତା ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ ଯାହା ରେଳ ନେଟୱାର୍କର ସୁଗମ ଏବଂ ନିରାପଦ କାର୍ଯ୍ୟକାରିତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଶ୍ରୀ ଫୁଙ୍କୱାଲ ଆଲୋକପାତ କରିଥିଲେ ଯେ ପ୍ରତ୍ୟେକ ରେଳ କର୍ମଚାରୀଙ୍କ ଉତ୍ସର୍ଗୀକୃତତା ଯାତ୍ରୀ ସୁରକ୍ଷା ଏବଂ ଦକ୍ଷ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କର୍ତବ୍ୟ ପାଳନ ସମୟରେ ରେଳ କର୍ମଚାରୀମାନଙ୍କୁ ସତର୍କ, ସଜାଗ ଏବଂ ସେମାନଙ୍କର ଦାୟିତ୍ୱ ପ୍ରତି ସମର୍ପିତ ରହିବାକୁ ମଧ୍ୟ ମହାପ୍ରବନ୍ଧକ ଅନୁରୋଧ କରିଥିଲେ ଯାହାକି ରେଳ ପରିଚାଳନାର ପ୍ରତ୍ୟେକ ପର୍ଯ୍ୟାୟରେ ସର୍ବୋଚ୍ଚ ନିରାପତ୍ତା ଓ ସୁରକ୍ଷାର ଗୁରୁତ୍ୱାରୋପକୁ ବଜାୟ ରଖାଯାଇପାରିବ।