
ନୂଆଦିଲ୍ଲୀ: ଆଜି ଷ୍ଟକ ମାର୍କେଟରେ ବଡ ଧରଣର ହ୍ରାସ ଘଟିଛି। କହିବାକୁ ଗଲେ ପୁରା ଷ୍ଟକ ମାର୍କେଟ ଆଜି ଭୁଷୁଡି ପଡିଛି। କାରଣ ଆଜି ମାର୍କେଟର ପରିସ୍ଥିତି ଯାହା ତାହା କେବେ ହେବ ବୋଲି କେହି କଳ୍ପନା କରି ନ ଥିଲେ। ଆଜି ସେନକ୍ସ 1414.35 ପଏଣ୍ଟ ହ୍ରାସ ପାଇ 73198 କୁ ଖସିଆସିଛି। ସେହିପରି ନିଫ୍ଟ 420.35 ପଏଣ୍ଟ ହ୍ରାସ ପାଇ 22124. 70 କୁ ଖସି ଆସିଛି।
ଗତ ସପ୍ତାହ ଧରି ସେୟାର ମାର୍କେଟର ସ୍ଥିତି ଭଲ ନାହିଁ। ପ୍ରତିଦିନ ମାର୍କେଟ ଦୁର୍ବଳ ହେବାରେ ଲାଗିଛି। ଆଜି ବ୍ୟାଙ୍କ ଏବଂ ଆଇଟି କ୍ଷେତ୍ରରେ ବଡ ହ୍ରାସ ଘଟିଛି। ଏହାର ନିବେଶକମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ତ୍ତମାନ ବିଏସଇରେ ନିବେଶକ 5 ଲକ୍ଷ କୋଟି ଟଙ୍କା ହରାଇଛନ୍ତି ବୋଲି ଜଣାପଡିଛି।
ମୁଖ୍ୟତଃ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଟାକ୍ସ ଲଗାଇବାକୁ ନେଇ ଭାରତ ସମେତ ଏସିଆ ସେୟାର ବଜାର ଉଥଳପୁଥଳ ହେବାରେ ଲାଗିଛି। ସେହିପରି ବିଦେଶୀ ନିବେଶକ ଭାରତୀୟ ବଜାରରୁ ଅଂଶଧନ କାଢି ନେଉଥିବାରୁ ତାହାର ପ୍ରଭାବ ମଧ୍ୟ ବଜାର ଉପରେ ପଡିବାରେ ଲାଗିଛି। ଫଳରେ ଗତ କିଛିଦିନ ଧରି ଭାରତୀୟ ଷ୍ଟକ ମାର୍କେଟ ଖସିବାରେ ଲାଗିଛି।