
ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରାଯାଇଥିଲା। ଏହି ସମୟରେ କଂଗ୍ରେସ କର୍ମିଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଛି। ଆନ୍ଦୋଳନକାରୀ କଂଗ୍ରେସର ମହିଳାନେତ୍ରୀମାନଙ୍କୁ ପୋଲିସ ଅଟକ ରଖି ପରେ ଛାଡ଼ି ଦେଇଥିଲେ ।
ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଏହି ୮ମାସର ଡବଲ ଇଞ୍ଜିନ ସରକାର ସମୟରେ ରାଜ୍ୟର ଅପରାଧ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି। ଓଡ଼ିଶା ଏକ ଅପରାଧ ପ୍ରବଣ ରାଜ୍ୟରୂପେ ପରିଗଣତି ହେବାକୁ ବସିଲାଣି । ବେଳ ଥାଉ ଥାଉ ସରକାର ଯଦି କୋଠର କାର୍ଯ୍ୟାନୁଷ୍ଠାନ ନଗ୍ରହଣ କରନ୍ତି ଏବଂ ମହିଳା ମାନଙ୍କର ସୁରକ୍ଷାକୁ ପ୍ରାଥମିକତା ନଦିଅନ୍ତି ତାହାଲେ ରାଜ୍ୟ କଂଗ୍ରେସ ଏ ସରକାରକୁ ଶାନ୍ତିରେ ନିଶ୍ବାସ ମାରିବାକୁ ଦେବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ।
ଆଜିର ଆନ୍ଦୋଳନକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍ ଦାଶ, ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ୱାଜ ଓ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର ପରିଚାଳନ କରିଥିଲେ। ଅନ୍ୟମାନଙ୍କ ଭିତରେ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ପୂର୍ବତନ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି, ପ୍ରମୁଖ ନେତୃତ୍ବ ନେଇଥିଲେ । ଛାତ୍ର ଓ ଯୁବ କଂଗ୍ରେସର ବହୁ ଯୁବନେତା ଆଜିର ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ ।