
ଭୁବନେଶ୍ଵର: କରବର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ରେ ପରିଣତ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ଘୋଷଣା କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ସମାରୋହର ଦ୍ବିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ନାଏକ ଆହୁରି କହିଲେ ଯେ, ଗୋଟିଏ ଅନୁଷ୍ଠାନ ଗଢ଼ିବାରେ ପ୍ରତିଷ୍ଠାତାଙ୍କ ଭୂମିକାକୁ ସ୍ମରଣ କରି ନୂତନ ପିଢ଼ି ଓ ପୁରାତନ ଛାତ୍ରଛାତ୍ରୀମାନେ ଅନୁଷ୍ଠାନକୁ ଆଗେଇ ନେବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।
ଏ ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ନୟାଗଡ ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏଣିକି ତ୍ବରିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ,ହାସ୍ୟ ଅଭିନେତା ବ୍ରଜ ସୁବୁଦ୍ଧି, ସିନେ ତାରକା ଶୁଭଶ୍ରୀ ସାହୁ, ଅଭିନେତା ଦୋରା ଖୁଣ୍ଟିଆ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ କୁମାର ଭୋଳ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ବନ୍ଦନା ସାସମଲ ମଞ୍ଚ ସଂଯୋଜନା କରିଥିଲେ।