ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେଲେ ବିଶ୍ବଭୂଷଣ ହରିଚନ୍ଦନ

Published: Jul 16, 2019, 6:27 pm IST

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେଲେ ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଅନୁସୂୟା ଉଇକ୍‌ଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଅନୁସୂୟା ବିଜେପିର ରାଜ୍ୟସଭା ସାଂସଦ ରହିଥିବାବେଳେ ଓଡ଼ିଶାର ବରିଷ୍ଠ ବିଜେପି ନେତା ହେଉଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ଭବନ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ପାଞ୍ଚ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ଦୁଇଥର ଜନତା ଦଳ ଓ ୩ ଥର ବିଜେପି ତରଫରୁ ଟିକେଟ ପାଇଁ ନିର୍ବାଚିତ ହୋଇଥିଲେ ଏହି ବରିଷ୍ଠ ନେତା ଜଣକ। ୧୯୮୦ରୁ ୮୮ ଯାଏଁ ୮ ବର୍ଷ ଧରି ଓଡ଼ିଶା ବିଜେପିରେ ସଭାପତି କାର୍ଯ୍ୟ ସମ୍ପାଦନ କରିଥିଲେ ବିଶ୍ବଭୂଷଣ ହରିଚନ୍ଦନ। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାର ଚାଲିଥିବା ସମୟରେ ରାଜସ୍ବ, ଆଇନ୍‌ ଓ ଶିଳ୍ପ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ବିଶ୍ବଭୂଷଣ। ପୂର୍ବରୁ ମଙ୍ଗଳବାର ଦିନ କଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଓ ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜୁରାତର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

 

Related posts