
କେନ୍ଦ୍ରାପଡା: ”ଦୋଳେଚ ଦୋଳ ଗୋବିନ୍ଦ , ଚାପେଚ ମଧୁସୁଦନ, ରଥେତୁ ବାମନଂ ଦୃଷ୍ଟ୍ୱା ପୁନଃର୍ଜନ୍ମ ନ ବିଦ୍ୟତେ।” ଆଦି ଶଂକରଙ୍କ ବିରଚିତ ଏହି ପବିତ୍ର ବାକ୍ୟଟି ଉତ୍କଳୀୟ ପରମ୍ପରାର ମହାନତାକୁ ପ୍ରତିପାଦିତ କରେ। ଅର୍ଥାତ ଦୋଳରେ ଦୋଳଗୋବିନ୍ଦ, ଚାପଖେଳରେ ମଧୁସୁଦନ, ରଥରେ ବାମନ ସ୍ୱରୁପ ଶ୍ରୀଜଗନ୍ନାଥକୁ ଦର୍ଶନ କଲେ ଶ୍ରଦ୍ଧାଳୁ ଜନ୍ମଜନ୍ମାନ୍ତର ପିଡାରୁ ମୁକ୍ତି ଲଭିଥାଏ। ଓଡିଆର ପରମ୍ପରାରେ ୧୨ ଯାତ୍ରା ୧୩ ପର୍ବ ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ। ଉତ୍କଳୀୟ ପରମ୍ପରାରେ ଏହି ଦୋଳଯାତ୍ରାର ସ୍ୱାତ୍ୟନ୍ତ୍ରତା ବଜାୟ ରହିଛି।
ଏହି ପରପ୍ରେକ୍ଷୀରେ ଶ୍ରୀଜଗନ୍ନାଥଙ୍କ ଅଗ୍ରଜ ଭ୍ରାତା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ କ୍ଷେତ୍ର କେନ୍ଦ୍ରାପଡାରେ ଭିନ୍ନ ଏକ ଦୋଳଯାତ୍ରା ପରମ୍ପରାରେ ଦୋଳଯାତ୍ରା ବା ଛାମୁମେଳଣ ଅନୁଷ୍ଠିତ ହୋଇଥାଏ। ଏହାକୁ କୁହାଯାଏ ପଂଚୁଦୋଳ। ସାରା ରାଜ୍ୟରେ ଗୋଟିଏ ଦିବସରେ ହୋଲି ଖେଳ ଅନୁଷ୍ଠିତ ହେଉଥିବା ବେଳେ ତୁଲଶୀକ୍ଷେତ୍ର କେନ୍ଦ୍ରାପଡାରେ ଛାମୁମେଳଣ ଅର୍ଥାତ ଆଜିର ଦିବସରେ ହୋଲିଖେଳ ଅନୁଷ୍ଠିତ ହୋଇଥାଏ। କିମ୍ବଦନ୍ତୀ ଅନୁଯାୟୀ ମରହଟା ଶାସନକାଳରେ ଯେତେବେଳେ ତୁଳସୀକ୍ଷେତ୍ର ମରହଟାମାନଙ୍କ ଶାସକଙ୍କ ଅଧିନ ରହିଥିଲା ସେ ସମୟରେ ମରହଟା ବାବାଜୀଙ୍କ ଦ୍ୱରା ତୁଳସୀକ୍ଷେତ୍ରରେ ପଂଚୁଦୋଳର ଅୟମାରମ୍ଭ ହୋଇଥିଲା। ଅର୍ଥାତ ଦୋଳପୁର୍ଣ୍ଣୀମା ପରଠାରୁ ପାଂଚ ଦିନ ବ୍ୟାପୀ ତୁଳସୀକ୍ଷେତ୍ର ଆରାଧ୍ୟ ଦେବତାଙ୍କୁ ଆଧାର କରାଯାଇ ଭିନ୍ନ ଭିନ୍ନ ସ୍ଥାନରେ ପାଂଚଦିନ ବ୍ୟାପୀ ଦୋଳଯାତ୍ରା ସଂପନ୍ନ ହେବା ପରେ ଶେଷରେ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଛାମୁମେଳଣ ସହ ଶେଷ ହୁଏ ତୁଳସୀକ୍ଷେତ୍ରର ଦୋଳଯାତ୍ରା।
କେନ୍ଦ୍ରାପଡାର ସାନକୋଠା, ବଡକୋଠା, ବଣିଆମାଳ, ବାଲିଆ, ବାଲିପାଟଣା, ଗରାପୁର, ମୀରପାଟଣା, କାକଟ, ଦୁହୁରିଆ, ପୁରୁଣାବସଷ୍ଟାଣ୍ଡ ଭଳି ବିଭିନ୍ନ ସ୍ଥାନରେ ମହା ସମାରୋହରେ ପାଳନ କରାଯାଇଥାଏ ପଂଚୁଦୋଳ ଯାତ୍ରା। ଦିବାରାତ୍ର ଏକ ହୋଇଯାଏ। ବିଭିନ୍ନ ମଠ ବାଡିର ପ୍ରତିଷ୍ଠିତ ଶ୍ରୀରାଧାକୃଷ୍ଣଙ୍କ ମୁର୍ତୀକୁ ସୁସଜିତ ବିମାନରେ ଯାଦବ ସଂପ୍ରଦାୟର ଗୋପାଳ ସେବାୟତ ମାନେ କାନ୍ଧରେ ବୋହି ନେଇ ବିଭିନ୍ନ ମେଳଣ ପଡିଆକୁ ଯାତ୍ରା କରିବା ପୂର୍ବରୁ ଗାଁ ଗାଁ ପରିକ୍ରମା କରି ଶ୍ରଦ୍ଧାଳୁଙ୍କ ଘରେଘରେ ଭୋଗ ଖାଇଥାନ୍ତି।
ଏହାପରେ ପାରମ୍ପରିକ ଢୋଲ, ନାଚ ରୋଷଣୀରେ ଗାଁ ଦାଣ୍ଡ କମ୍ପି ଉଠେ। ନାମ ସଂକୀର୍ତ୍ତନ କରି ମେଳଣ ପଡିଆରେ ଏକତ୍ରିତ ହୋଇଥାନ୍ତି ଦୋଳବିମାନ। ଏହି ବର୍ଣ୍ଣାଢ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରାକୁ ଦେଖିବା ଲକ୍ଷାଧିକ ସଂଖ୍ୟାରେ ଜନ ସମାଗଗମ ହୁଏ। ଉଭୟ ହିନ୍ଦୁ ମୁସଲିମ ସଂପ୍ରଦାୟର ଶ୍ରଦ୍ଧାଳୁ ମାନେ ଶାନ୍ତି ଭାଇଚାରାର ସହ ଏହି ପର୍ବ ପାଳନ କରିଥାନ୍ତି।