
ଭୁବନେଶ୍ୱର: ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ ନିର୍ମଳଜିତ ସିଂ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ସିଂଙ୍କର ଭାରତୀୟ ଡାକ ସେବା କ୍ଷେତ୍ରରେ ଜାଜ୍ଜୁଲ୍ୟମାନ କ୍ୟାରିଅର ରହିଛି। ସେ ଓଡ଼ିଶା ଡାକ ପରିମଣ୍ଡଳରେ ଅଭିନବ ନେତୃତ୍ୱ ଓ ପରିଚାଳନାଗତ ଉତ୍କର୍ଷତା ଆଣିପାରିବେ ବୋଲି ଆଶା କରାଯାଉଛି ।
ନୂତନ ଭୂମିକାରେ ଶ୍ରୀ ସିଂହ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଡାକ ସେବା ପ୍ରଦାନ କରୁଥିବା ଓଡ଼ିଶା ଡାକ ପରିମଣ୍ଡଳର ପ୍ରଶାସନ ଓ ପରିଚାଳନା କାର୍ଯ୍ୟ ଅନୁଧ୍ୟାନ କରିବେ। ଏହି ଦାୟିତ୍ୱକୁ ନେଇ ଶ୍ରୀ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ। ଡାକ ବିଭାଗ ସବୁବେଳେ ଜନ ସେବାର ଆଧାର ହୋଇ ରହିଆସିଛି। ଓଡ଼ିଶାରେ ଏହାର ଅଭିବୃଦ୍ଧି ଓ ଆଧୁନିକୀକରଣ ପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି।