ବିଧାନସଭାର ପ୍ରଶ୍ନୋତ୍ତର କାଳ ଚାଲିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପରସ୍ପର ଉପରେ ଦୋଷ ଲଦିଛନ୍ତି। ପ୍ରଶ୍ନୋତ୍ତର କାଳରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖୁଥିଲେ। ଏହି ସମୟରେ ଶାସକ ଦଳର ସଦସ୍ୟ ପ୍ରଦୀପ ମହାରଥୀ ରାଜ୍ୟରେ କେତେ ଶୀତଳ ଭଣ୍ଡାର ରହିଛି ଏବଂ ସେଥିରେ ତୈଳ ଓ ଡାଲି ଜାତୀୟ ଶସ୍ୟ ମହଜୁଦ ରଖିବା ପାଇଁ ଚୁକ୍ତି ହୋଇଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ନିରଞ୍ଜନ ପୂଜାରୀଙ୍କୁ ହଜମ ହୋଇ ନ ଥିଲା। ସେ ମହାରଥୀଙ୍କ ଉପରେ ପରୋକ୍ଷରେ ଦୋଷାରୋପ କରି ଉତ୍ତର ରଖିଥିଲେ। ସେ କହିଥିଲେ ଯେ ଆପଣଙ୍କ ସମୟରେ ୧୨୭ ଟି ଶୀତଳ ଭଣ୍ଡାରୁ ୮୦ଟି ବନ୍ଦ ହୋଇଯାଇଥିବାବେଳେ ୪୭ଟି କାର୍ଯ୍ୟ କରୁଛି। ଶାସକ ଦଳର ବରିଷ୍ଠ ବିଧାୟକ ଓ ମନ୍ତ୍ରୀଙ୍କ ଭିତରେ ଏହି ଆକ୍ଷେପ ପ୍ରତି ଆକ୍ଷେପ ବେଶ ରୋଚକ ଥିଲା।