ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କଟକ ବଡ଼ ମେଡିକାଲ ଭେଷଜ ବିଭାଗର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଗତକାଲି ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଓ୍ୱାର୍ଡରେ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ଭେଷଜ ବିଭାଗର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏକ ଚା’ ଦୋକାନରୁ ଧନ ଉପାର୍ଜିତ କରି ବସ୍ତି ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରନ୍ତି ପ୍ରକାଶ ରାଓ । ଏହାଛଡ଼ା ଶ୍ରୀ ରାଓ ବଡ଼ ମେଡିକାଲ୍ରେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ସମାଜସେବା ପାଇଁ ପ୍ରକାଶ ରାଓଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରକାଶ ରାଓଙ୍କ ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ ।