‘ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ …’: ପଶ୍ଚିମବଙ୍ଗ ସିଏମଙ୍କୁ ଟାର୍ଗେଟ କରି କହିଲା ଶିବସେନା

Published: Mar 31, 2025, 7:39 pm IST

ମୁମ୍ବାଇ: ଗୋଟିଏ ପଟେ ସମଗ୍ର ଦେଶରେ ଇଦ୍ ଉତ୍ସବ ପାଳନ କରାଯାଉଥିବାବେଳେ ଅନ୍ୟ ପଟେ ରାଜନୈତିକ ବିବୃତ୍ତି ଯୋଗୁଁ ପରିବେଶ ଉତ୍ତପ୍ତ ରହିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତ୍ତି ଉପରେ ଶିବସେନା ନେତା ମନୀଷା କାୟନ୍ଦେ କଡା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ସେ (ମମତା ବାନାର୍ଜୀ) ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ଭୋଟ୍ ପ୍ରତିଶତ ଆହୁରି ହ୍ରାସ ପାଇଛି ଏବଂ ଆଗକୁ ମଧ୍ୟ ହ୍ରାସ ପାଇବ।

ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ ଶିବସେନା ନେତା ମନୀଷା କାୟନ୍ଦେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମମତା ବାନାର୍ଜୀ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ତାଙ୍କ ଦଳ (ଟିଏମସି) କୁ ଅନ୍ୟ ରାଜ୍ୟକୁ ବିସ୍ତାର କରିବାରେ ବିଫଳ ହୋଇଥିଲେ। ତାଙ୍କ ଦଳର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।”

କାୟନ୍ଦେ ଆହୁରି ମଧ୍ୟ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ଅଭିଳାଷ ହେଉଛି ଗେରୁଆ ରଙ୍ଗକୁ ପରାସ୍ତ କରିବା, କିନ୍ତୁ ଏହା କେବେ ପୂରଣ ହେବ ନାହିଁ। କାରଣ ଜନସାଧାରଣ ଆଉ ସଂକୀର୍ଣ୍ଣ ମାନସିକତାକୁ ଆଶ୍ରୟ ଦେଉ ନାହାଁନ୍ତି।

ଏହା ବ୍ୟତୀତ ମନୀଷା କାୟନ୍ଦେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ନୂତନ ଶିକ୍ଷା ନୀତି ସମ୍ବନ୍ଧରେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ କରି ସେ କହିଛନ୍ତି ଯେ, “ସୋନିଆ ଗାନ୍ଧୀଙ୍କ ଏହି ପ୍ରସଙ୍ଗରେ କହିବା ପାଇଁ କୌଣସି ନୈତିକ ଅଧିକାର ନାହିଁ। ସେ ଦେଶ ପାଇଁ କ’ଣ କରିଛନ୍ତି? ସେ ଯାହା କରିଥିଲେ, ସେ କେବଳ ତାଙ୍କ ପାର୍ଟି କଂଗ୍ରେସ ପାଇଁ କରିଥିଲେ। ସେ ନିଜ ଦଳକୁ ବଢାଇବା ପାଇଁ ଉଦ୍ୟମ କରିଥିଲେ, କିନ୍ତୁ ଦେଶ ପାଇଁ ତାଙ୍କର ଅବଦାନ କ’ଣ ତାହା ଜାଣିବା ଆବଶ୍ୟକ।”

Related posts