ଆଜି ବିଧାନସଭାର ଶୂନ୍ୟକାଳରେ କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ କହିଲେ ଯେ, ଦୁଇ ପୂର୍ବତନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏସ୍ପି ନିତିଶେଖର ସାମ୍ବାଦିକଙ୍କୁ ମାଡ ମାରିଛନ୍ତି। ଯାହା ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ। ତେଣୁ ସମ୍ପୃକ୍ତ ଏସ୍ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍ ତାଙ୍କୁ ନିଲମ୍ବନ କରାଯାଉ ବୋଲି ବାଚସ୍ପତିଙ୍କୁ କହିଛନ୍ତି। ଏନେଇ ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଏହା ରାଜତନ୍ତ୍ର, ଗଣତନ୍ତ୍ର ନା ନବୀନ ତନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି। ତେବେ ଏସ୍ପିଙ୍କ ନିଲମ୍ବନ ଦାବି କରି ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଉଭୟ କଂଗ୍ରେସ ଓ ବିଜେପି ଏହି ମାମଲାକୁ ନେଇ କଂଗ୍ରେସରେ ହୋହଲ୍ଲା କରିଛନ୍ତି। ଏଥିପାଇଁ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ଗତକାଲି ପାଟକୁରା ନିର୍ବାଚନୀ ପ୍ରଚାରକୁ ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ଓଡ଼ିଆ ଟିଭି ସାମ୍ବାଦିକଙ୍କୁ ସ୍ଥାନୀୟ ଏସ୍ପି ନିତିଶେଖର ଦର୍ବ୍ୟବହାର କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଢେର୍ ଭାଇରାଲ ହୋଇଛି। ଉକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି। ଏହି ଘଟଣାକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ନିନ୍ଦା କରାଯାଇଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯାଇଛି।