
ନୂଆଦିଲ୍ଲୀ: ୱକଫ୍ ବ୍ୟବସ୍ଥା ଐତିହାସିକ ରୂପରେ ଧାର୍ମିକ ବନ୍ଦୋବସ୍ତ ହୋଇଥିବା ବେଳେ, ଭାରତୀୟ ଆଇନ ଅଧୀନରେ ଏହା ଏକ ସମ୍ପତ୍ତି ପରିଚାଳନା ୟୁନିଟ୍ ରୂପରେ କାମ କରିଥାଏ। ୱକଫକୁ ନିୟନ୍ତ୍ରିତ କରୁଥିବା ଢାଞ୍ଚା, ନ୍ୟାୟିକ ନିଷ୍ପତ୍ତି ଏବଂ ପ୍ରଶାସନିକ ବ୍ୟବସ୍ଥା ଏହାର ଧର୍ମନିରପେକ୍ଷ ଭାବନା ଉପରେ ଆଲୋକପାତ କରିଥାଏ। ୱକଫ୍ ପରିଚାଳନାରେ ରହିଥିବା ସମସ୍ୟାକୁ ସମାଧାନ କରିବା ଲାଗି ବ୍ୟବସ୍ଥିତ ସଂସ୍କାରର ଆବଶ୍ୟକତା ରହିଛି। ୱକଫ୍ (ସଂଶୋଧନ) ବିଲ୍ ୨୦୨୫ରେ ଏହି ସଂସ୍କାର ଆଣିବାର ବ୍ୟବସ୍ଥା ରହିଛି। ସଂଶୋଧିତ ଆଇନ ପାରଦର୍ଶିତା, ଉତ୍ତରଦାୟିତ୍ୱ ଏବଂ ଆଇନଗତ ନିରୀକ୍ଷଣ ସୁନିଶ୍ଚିତ କରିବ, ୱକଫ୍ ସମ୍ପତ୍ତି ଅଣ-ମୁସଲମାନ ଏବଂ ଅନ୍ୟ ଅଂଶୀଦାରମାନଙ୍କର ଅଧିକାରକୁ ଉଲ୍ଲଂଘନ ନକରି ନିଜର ଧାର୍ମିକ ଉଦ୍ଦେଶ୍ୟ ପୂରଣ କରିପାରିବ।
ଭାରତରେ ୱକଫ ବ୍ୟବସ୍ଥାକୁ ଦୀର୍ଘ ଦିନ ଧରି ଧାର୍ମିକ ଦୃଷ୍ଟିକୋଣରୁ ଦେଖାଯାଉଛି। ତଥାପି, ଆଇନଗତ ବ୍ୟବସ୍ଥା, ନ୍ୟାୟିକ ବ୍ୟାଖ୍ୟା ଏବଂ ନୀତିଗତ ବିକାଶର ଏକ ଘନିଷ୍ଠ ଯାଞ୍ଚ ଏହା ସ୍ପଷ୍ଟ କରେ ଯେ ୱକଫ୍ ମୁଖ୍ୟତଃ ଧାର୍ମିକ ପ୍ରଥା ପରିବର୍ତ୍ତେ ସମ୍ପତ୍ତି ପରିଚାଳନା, ପ୍ରଶାସନ ଏବଂ ଶାସନ ସହ ଜଡ଼ିତ ବିଷୟ। ପରବର୍ତ୍ତୀ ସଂଶୋଧନ ସହିତ ୱକଫ ଅଧିନିୟମ, ୧୯୯୫, ୱକଫ ସମ୍ପତ୍ତିର ନିୟନ୍ତ୍ରଣ, ସେଗୁଡ଼ିକର ଉପଯୁକ୍ତ ପ୍ରଶାସନ ଏବଂ ଉପଯୋଗ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଇଥାଏ। ୱକଫ ଅଧିନିୟମ, ୧୯୯୫ ୱକଫକୁ ଇସଲାମୀୟ ଆଇନ ଦ୍ୱାରା ପବିତ୍ର, ଧାର୍ମିକ କିମ୍ବା ଦାତବ୍ୟ ଭାବରେ ସ୍ୱୀକୃତିପ୍ରାପ୍ତ ଉଦ୍ଦେଶ୍ୟରେ ଜଣେ ମୁସଲମାନ ବ୍ୟକ୍ତିଙ୍କ ଦ୍ୱାରା ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତିର ସ୍ଥାୟୀ ଉତ୍ସର୍ଗ ଭାବରେ ବ୍ୟାଖ୍ୟା କରେ। ତଥାପି, ୱକଫର ପ୍ରମୁଖ ଦିଗ ଏହାର ଧାର୍ମିକ ଅର୍ଥରେ ନୁହେଁ ବରଂ ଏହାର ସମ୍ପତ୍ତି-କୈନ୍ଦ୍ରିକ ପ୍ରଶାସନରେ ରହିଛି।
ୱକଫ ଆଇନର ଧାରା ୯୬ ସ୍ପଷ୍ଟ ଭାବରେ କେନ୍ଦ୍ର ସରକାରଙ୍କୁ ସାମାଜିକ, ଆର୍ଥିକ, ଶିକ୍ଷାଗତ ଏବଂ କଲ୍ୟାଣମୂଳକ ପ୍ରସଙ୍ଗରେ ୱକଫ ଅନୁଷ୍ଠାନଗୁଡ଼ିକର ଧର୍ମନିରପେକ୍ଷ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ କ୍ଷମତା ପ୍ରଦାନ କରେ। କେନ୍ଦ୍ରୀୟ ୱକଫ ପରିଷଦ (ସିଡବ୍ଲ୍ୟୁସି) ଏବଂ ରାଜ୍ୟ ୱକଫ ବୋର୍ଡ (ଏସଡବ୍ଲ୍ୟୁବି) ସଂରକ୍ଷକ ଏବଂ ନିୟାମକ ଭାବରେ କାର୍ଯ୍ୟ କରନ୍ତି, ଯାହା ୱକଫ ପରିଚାଳନାରେ ସ୍ୱଚ୍ଛତା ଏବଂ ଆଇନଗତ ଅନୁପାଳନ ନିଶ୍ଚିତ କରେ। ୱକଫ ସମ୍ପତ୍ତିର ପରିଚାଳନା ଏକ ଧର୍ମନିରପେକ୍ଷ କାର୍ଯ୍ୟ, ଯାହା ଧାର୍ମିକ ପ୍ରଥାଠାରୁ ଭିନ୍ନ ବୋଲି ଭାରତୀୟ ଅଦାଲତମାନେ କ୍ରମାଗତ ଭାବରେ ଗୁରୁତ୍ୱାରୋପ କରିଛନ୍ତି।
୧୯୯୩ର ସୟଦ ଫଜଲ ପୁକୋୟା ଥାଙ୍ଗଲ ବନାମ ଭାରତ ସଂଘ ମାମଲାରେ କେରଳ ହାଇକୋର୍ଟଙ୍କ ରାୟ ସ୍ପଷ୍ଟ କରିଛି ଯେ ୱକଫ ବୋର୍ଡ ଏକ ବୈଧାନିକ ସଂସ୍ଥା ଏବଂ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧି ନୁହେଁ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ୱକଫ ସମ୍ପତ୍ତିର ଉପଯୁକ୍ତ ପରିଚାଳନା ସୁନିଶ୍ଚିତ କରିବା। ହାଫିଜ୍ ମହମ୍ମଦ ଜାଫର ଅହମ୍ମଦ ବନାମ ୟୁପି ସେଣ୍ଟ୍ରାଲ୍ ସୁନ୍ନି ୱକଫ ବୋର୍ଡ (ଆହ୍ଲାବାଦ ହାଇକୋର୍ଟ) ମାମଲାରେ ଅଦାଲତ ରାୟ ଦେଇଛନ୍ତି ଯେ ୱକଫ ସମ୍ପତ୍ତିରେ ଜଣେ ମୁତାୱଲ୍ଲୀ (ୱକଫ ପ୍ରଶାସକ) ଙ୍କ କୌଣସି ମାଲିକାନା ସ୍ୱାର୍ଥ ନାହିଁ, ଯାହା ଦ୍ୱାରା ୱକଫ ପ୍ରଶାସନ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ ବୋଲି ନିଶ୍ଚିତ ହୋଇଛି। ତିଲକାୟତ ଶ୍ରୀ ଗୋବିନ୍ଦଲାଲଜୀ ମହାରାଜ ବନାମ ରାଜସ୍ଥାନ ସରକାର ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ମନ୍ଦିର ସମ୍ପତ୍ତିର ପରିଚାଳନା ଏକ ଧର୍ମନିରପେକ୍ଷ କାର୍ଯ୍ୟ, ଯାହା ୱକଫ ସମ୍ପତ୍ତି ପାଇଁ ଏକ ଦୃଷ୍ଟାନ୍ତ ସ୍ଥାପନ କରିଛି।
ଭାରତରେ ୱକଫ୍ ସମ୍ପତ୍ତିର କୁପରିଚାଳନା, ଜବରଦଖଲ ଏବଂ ପାରଦର୍ଶିତାର ଅଭାବ କାରଣରୁ ଅନେକ ଅନିୟମିତତା ଦେଖାଦେଇଛି। ପୋର୍ଟାଲ ତଥ୍ୟ ଅନୁଯାୟୀ, ୫୮,୮୯୮ ରୁ ଅଧିକ ୱକଫ ସମ୍ପତ୍ତି ଜବରଦଖଲରେ ଅଛି। ଅନେକ କ୍ଷେତ୍ରରେ ୱକଫ ଜମିର ଦୂରୁପଯୋଗ ଏବଂ ବେଆଇନ ଅଧିଗ୍ରହଣକୁ ଉଜାଗର କରିଥାଏ। ବିହାର ଗୋବିନ୍ଦପୁରରେ ଗତବର୍ଷ ଅଗଷ୍ଟ ମାସରେ ସୁନି ୱକଫ ବୋର୍ଡ ସମ୍ପୂର୍ଣ୍ଣ ଗାଁ ଉପରେ ମାଲିକାନା ଦାବି କରିଥିଲା। କେରଳରେ ଗତ ବର୍ଷ ସେପ୍ଟେମ୍ବର ୨୦୨୪ରେ ପ୍ରାୟ ୬୦୦ ଖ୍ରୀଷ୍ଟିଆନ ପରିବାର ସେମାନଙ୍କର ପୈତୃକ ଜମି ଉପରେ ୱକଫ ବୋର୍ଡର ଦାବିକୁ ବିରୋଧ କରିଥିଲେ। ସୁରଟ ନଗର ନିଗମ ମୁଖ୍ୟାଳୟକୁ ସରକାରୀ ଭବନ ହୋଇଥିବା ସତ୍ତ୍ୱେ ୱକଫ ସମ୍ପତ୍ତି ଘୋଷଣା କରାଯାଇଥିଲା।
ଅଣ-ମୁସଲମାନ ସମ୍ପତ୍ତିକୁ ସ୍ୱେଚ୍ଛାକୃତ ଭାବେ ୱକଫ ସମ୍ପତ୍ତି ଭାବେ ଘୋଷଣା କରାଯିବାର ଅନେକ ଉଦାହରଣ ରହିଛି, ଯାହା ଅନିୟନ୍ତ୍ରିତ ପ୍ରଶାସନିକ କ୍ଷମତା ବିଷୟରେ ଚିନ୍ତା ବଢ଼ାଇଛି। ତାମିଲନାଡ଼ୁ ୱକଫ ବୋର୍ଡ ସମଗ୍ର ତିରୁଚେନ୍ଥୁରାଇ ଗ୍ରାମ ଉପରେ ଦାବି କରିଥିଲା, ଯାହାଦ୍ୱାରା ବାସିନ୍ଦାଙ୍କ ସମ୍ପତ୍ତି ଅଧିକାର ପ୍ରଭାବିତ ହୋଇଥିଲା। ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ ବିନା ୧୩୨ଟି ସଂରକ୍ଷିତ ସ୍ମାରକୀକୁ ୱକଫ ସମ୍ପତ୍ତି ଭାବରେ ଘୋଷଣା କରାଯାଇଥିଲା।
ଏହି ଆହ୍ୱାନଗୁଡ଼ିକୁ ସ୍ୱୀକାର କରି, ୱକଫ ପ୍ରଶାସନରେ ଅଧିକ ସ୍ପଷ୍ଟତା ଏବଂ ସ୍ୱଚ୍ଛତା ଆଣିବା ପାଇଁ ୱକଫ (ସଂଶୋଧନ) ବିଲ୍, ୨୦୨୫ ଉପସ୍ଥାପନ କରାଯାଇଥିଲା। ଧାରା ୪୦ର ଉଚ୍ଛେଦ, ଯାହା ୱକଫ ବୋର୍ଡକୁ କୌଣସି ସମ୍ପତ୍ତିକୁ ଏକତରଫା ଭାବେ ୱକଫ ଭାବେ ଘୋଷଣା କରିବାର ଅନୁମତି ଦେଇଥିଲା। ୱକଫ ରେକର୍ଡର ଡିଜିଟାଇଜେସନ୍, ଉତ୍ତମ ସମ୍ପତ୍ତି ଟ୍ରାକିଂକୁ ସକ୍ଷମ କରିବା ଏବଂ ବେଆଇନ ଦାବି ହ୍ରାସ କରିବା। ବିବାଦଗୁଡ଼ିକର ସମୟୋଚିତ ସମାଧାନ ସୁନିଶ୍ଚିତ କରିବା ଲାଗି ୱକଫ ଟ୍ରିବ୍ୟୁନାଲକୁ ସୁଦୃଢ଼ କରିବା। ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଲାଗି ୱକଫ ବୋର୍ଡରେ ଅଣ-ମୁସଲମାନ ସଦସ୍ୟମାନଙ୍କୁ ସାମିଲ କରିବା।