
ନୂଆଦିଲ୍ଲୀ: ଓ୍ଵାକଫ୍ ସମ୍ପତ୍ତିର ପରିଚାଳନା ଓ ପ୍ରଶାସନରେ ଥିବା ସମସ୍ୟାର ସମାଧାନ ପାଇଁ ୱାକଫ୍ ସଂଶୋଧନ ବିଲ୍, ୨୦୨୫ ଆଗତ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ନିୟମକୁ ସ୍ପଷ୍ଟ କରିବା, ନିଷ୍ପତ୍ତି ନେବାରେ ଅଧିକ ଲୋକଙ୍କୁ ସାମିଲ କରିବା ଏବଂ ୱାକଫ୍ ସମ୍ପତ୍ତି ଉପଯୋଗ ପଦ୍ଧତିରେ ଉନ୍ନତି ଆଣିବା।
୨୦୨୪ ଅଗଷ୍ଟ ୮ ତାରିଖରେ ଲୋକସଭାରେ ଦୁଇଟି ବିଲ୍ ଆଗତ ହୋଇଥିଲା। ୱାକଫ୍ (ସଂଶୋଧନ) ବିଲ୍, ୨୦୨୪ ଏବଂ ମୁସଲମାନ ୱାକଫ୍ (ରଦ୍ଦ) ବିଲ୍, ୨୦୨୪। ଏହି ବିଲ୍ ଗୁଡ଼ିକ ୱାକଫ୍ ବୋର୍ଡଗୁଡ଼ିକୁ ଅଧିକ ସୁରୁଖୁରୁରେ କାର୍ଯ୍ୟ କରିବା ଏବଂ ୱାକଫ୍ ସମ୍ପତ୍ତିଗୁଡ଼ିକୁ ଭଲ ଭାବରେ ପରିଚାଳନା କରିବା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।
ମୁସଲମାନ ୱାକଫ୍ (ରଦ୍ଦ) ବିଲ୍, ୨୦୨୫ ମାଧ୍ୟମରେ ମୁସଲମାନ ୱାକଫ୍ ଆକ୍ଟ, ୧୯୨୩କୁ ଉଚ୍ଛେଦ କରାଯିବାର ଲକ୍ଷ୍ୟ ରହିଛି, ଯାହା ବ୍ରିଟିଶ ଶାସନ ସମୟରେ ସୃଷ୍ଟି ହୋଇଥିଲା ଏବଂ ବର୍ତ୍ତମାନ ନିଜର ପ୍ରାସଙ୍ଗିକତା ହରାଇଛି। ଏହି ପୁରୁଣା ଆଇନକୁ ହଟାଇବା ଦ୍ୱାରା ପୁରୁଣା ଆଇନ ଦ୍ୱାରା ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରି ଓ୍ଵାକଫ୍ ଆଇନ, ୧୯୯୫ ଅଧୀନରେ ଏକ ଅଧିକ ନିରନ୍ତର, ସ୍ୱଚ୍ଛ ଏବଂ ଉତ୍ତରଦାୟୀ ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟକ ହେବ।
ୱାକଫ୍ (ସଂଶୋଧନ) ବିଲ୍, ୨୦୨୫ର ଉଦ୍ଦେଶ୍ୟ:
ୱାକଫ୍ (ସଂଶୋଧନ) ବିଲ୍, ୨୦୨୫ର ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତି ପରିଚାଳନାରେ ସମସ୍ୟାର ସମାଧାନ ପାଇଁ ଓ୍ଵାକଫ୍ ଆଇନ, ୧୯୯୫କୁ ଅପଡେଟ୍ କରିବା। ଏଥିରେ ଉନ୍ନତି ଲାଗି ଅନେକ ପ୍ରସ୍ତାବ ଦିଆଯାଇଛି, ଯେପରିକି:
ପୂର୍ବ ଆଇନର ତ୍ରୁଟିକୁ ଦୂର କରିବା ଏବଂ ଆଇନର ନାମ ପରିବର୍ତ୍ତନ ଭଳି ପରିବର୍ତ୍ତନ ଆଣି ୱାକଫ ବୋର୍ଡର ଦକ୍ଷତା ବୃଦ୍ଧି କରିବା
ୱାକଫର ସଂଜ୍ଞା ଅପଡେଟ୍ କରିବା
ପଞ୍ଜୀକରଣ ପ୍ରକ୍ରିୟାରେ ଉନ୍ନତି ଆଣିବା
ୱାକଫ୍ ରେକର୍ଡ ପରିଚାଳନାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ବୃଦ୍ଧି କରିବା
ସମସ୍ତ ଅଂଶୀଦାରଙ୍କ ଭାଗିଦାରୀ ମାଧ୍ୟମରେ ସଂସ୍କାର :
ଅଗଷ୍ଟ ୯, ୨୦୨୪ରେ ସଂସଦର ଉଭୟ ଗୃହ ପୃଥକ ପ୍ରସ୍ତାବ ମାଧ୍ୟମରେ ବିଲକୁ ସମୀକ୍ଷା ଏବଂ ରିପୋର୍ଟ ପାଇଁ ଏକ ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ପଠାଇବାକୁ ରାଜି ହୋଇଥିଲେ। ଏହି ଯୁଗ୍ମ କମିଟିରେ ଲୋକସଭାର ୨୧ ଜଣ ଓ ରାଜ୍ୟସଭାର ୧୦ ଜଣ ସଦସ୍ୟ ଥିଲେ। ଯେହେତୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଲ୍ ଏବଂ ଏହାର ବ୍ୟାପକ ପ୍ରଭାବ ରହିଛି, ତେଣୁ କମିଟି ଏହାର ବ୍ୟବସ୍ଥା ଉପରେ ଜନସାଧାରଣ, ବିଶେଷଜ୍ଞ, ଅଂଶୀଦାର ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ସଂଗଠନମାନଙ୍କଠାରୁ ମତାମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି।
ପ୍ରଥମ ସିଟିଂ ଅଗଷ୍ଟ ୨୨, ୨୦୨୪ରେ ହୋଇଥିଲା ଏବଂ ଏଥିରେ ମୁସଲିମ ସମାଜର ବିଭିନ୍ନ ସଂଗଠନମାନେ ଯୋଗ ଦେଇଥିଲେ।
ଯୁଗ୍ମ ସଂସଦୀୟ କମିଟି (ଜେପିସି) ମୋଟ ୩୬ଟି ବୈଠକ କରିଥିଲା, ଯେଉଁଠାରେ ସେମାନେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ରାଜ୍ୟ ୱାକଫ୍ ବୋର୍ଡ ଏବଂ ବିଶେଷଜ୍ଞ/ଅଂଶୀଦାରଙ୍କ ପ୍ରତିନିଧି ଏବଂ ପରାମର୍ଶ ଶୁଣିଥିଲେ। ଉଭୟ ଭୌତିକ ଓ ଡିଜିଟାଲ ମାଧ୍ୟମରେ ସମୁଦାୟ ୯୭,୨୭,୭୭୨ ସ୍ମାରକପତ୍ର ପାଇଥିଲେ । ଏହାଛଡ଼ା ୱାକଫ୍ ସଂଶୋଧନ ବିଲ୍, ୨୦୨୪ର ସମୀକ୍ଷା କରିବା ପାଇଁ କମିଟି ମୁମ୍ବାଇ, ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଏବଂ ବେଙ୍ଗାଲୁରୁ, ଗୌହାଟୀ, ଭୁବନେଶ୍ୱର, ପାଟନା, କୋଲକାତା ଏବଂ ଲକ୍ଷ୍ନୌ ଆଦି ସହରକୁ ଗସ୍ତ କରିଥିଲେ।
ଜେପିସି ଏ ସଂପର୍କରେ ସବିଶେଷ ଆଲୋଚନା କରି ୨୮୪ ଜଣ ଅଂଶୀଦାର, ୨୫ଟି ରାଜ୍ୟ ୱାକଫ ବୋର୍ଡ, ୧୫ଟି ରାଜ୍ୟ ସରକାର, ୫ଟି ସଂଖ୍ୟାଲଘୁ ଆୟୋଗ ଏବଂ ୨୦ ଜଣ ମନ୍ତ୍ରୀ/ସାଂସଦ/ବିଧାୟକ/ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ କମିଟି ସଦସ୍ୟମାନଙ୍କୁ ସ୍ଥଳଭାଗର ସ୍ଥିତି ବୁଝିବା ଏବଂ ଅଞ୍ଚଳ-ନିର୍ଦ୍ଦିଷ୍ଟ ବୁଝାମଣା ସଂଗ୍ରହ କରିବାରେ ସାହାଯ୍ୟ କରିଥିଲା ।
ୱାକଫ୍ (ସଂଶୋଧନ) ବିଲରେ ୪୪ଟି ଧାରା ଥିବା ବେଳେ ଓ୍ଵାକଫ୍ ସଂଶୋଧନ ବିଲ୍ (ଜେସିଡବ୍ଲ୍ୟୁଏବି) ଉପରେ ଯୁଗ୍ମ କମିଟି ୧୯ଟି ଧାରାରେ ପରିବର୍ତ୍ତନ ପାଇଁ ସୁପାରିସ କରିଥିଲା। ଯୁଗ୍ମ କମିଟି ୩୧ ଜାନୁଆରୀ ୨୦୨୫ରେ ମାନ୍ୟବର ଲୋକସଭା ବାଚସ୍ପତିଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଥିଲା ଏବଂ ୧୩ ଫେବୃଆରୀ ୨୦୨୫ରେ ସଂସଦର ଉଭୟ ଗୃହରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।
ୱାକଫ୍ (ସଂଶୋଧନ) ବିଲ୍, ୨୦୨୪ ଉପରେ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟରେ ଓ୍ଵାକଫ୍ ସମ୍ପତ୍ତି ପରିଚାଳନାକୁ ନିରପେକ୍ଷ, ସ୍ୱଚ୍ଛ ଏବଂ ଦକ୍ଷ କରିବାର ପ୍ରୟାସ ଉପରେ ଆଲୋକପାତ କରାଯାଇଛି। କମିଟି ବିଭିନ୍ନ ମତାମତ ଓ ଦୃଷ୍ଟିକୋଣ ଶୁଣିଥିଲା, ପରିଦର୍ଶନ କରିଥିଲା ଏବଂ ଅଂଶୀଦାରମାନଙ୍କ ସମସ୍ୟାର ସମାଧାନ ପାଇଁ ବିସ୍ତୃତ ଆଲୋଚନା କରିଥିଲା। ବିଲରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକ ଏକ ଅଧିକ ସମାବେଶୀ ଏବଂ ଦାୟିତ୍ବସମ୍ପନ୍ନ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯାହା ସମାଜର ପରିବର୍ତ୍ତିତ ଆବଶ୍ୟକତାକୁ ପୂରଣ କରିବ।