ପୁଣି ଗୃହରେ ବର୍ଷିଲେ ପ୍ରଦୀପ ମହାରଥୀ । ଗତକାଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆକ୍ଷେପ କରିଥିଲେ । ଆଜି ମହାରଥୀ ବିଧାନସଭାରେ ପୂଜାରୀଙ୍କୁ ଉତ୍ତର ଫେରଇଛନ୍ତି । ଶାଣିତ ସ୍ବରରେ କଡ଼ା ପ୍ରତି ଜବାବ ଦେଇଛନ୍ତି ବିଜେଡ଼ି ବିଧାୟକ ମହାରଥୀ । “ କାଲି ମନ୍ତ୍ରୀ ଯାହା ଉତ୍ତର ଦେଇଥିଲେ ତାହା ଭୁଲ୍ ଉତ୍ତର ଥିଲା। ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। କିନ୍ତୁ ତାହା ୪୮କୁ ଖସିଛି। ହେଲେ ମୁଁ ଆସିବା ବେଳକୁ ୨୪ ଥିଲା। ମୋ ସମୟରେ ତାହା ୪୮ ହୋଇଥିଲା। ମୋ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠାକୁ ନେଇ ପ୍ରଶ୍ନ କରାଯିବା ଠିକ୍ ନୁହେଁ। ମୋ ସମୟରେ ଆମେ ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛୁ। ଯଦି ଭାବୁଥାନ୍ତି ଏମିତି କହି ମହାରଥୀଙ୍କ ପାଟି ଚୁପ୍ ରଖିବେ ତାହା ପାରିବେନି। ଗୋଟିଏ ମନ୍ତ୍ରୀ ପଦ ଫାଙ୍କା ଅଛି ବୋଲି ଚୁପ୍ ରହିବି ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ମହାରଥୀ। କାଲି ମନ୍ତ୍ରୀ ଯାହା ମୋ ପ୍ରତି କହିଥିଲେ, ତାକୁ ପ୍ରତ୍ୟାହାର କରନ୍ତୁ ବୋଲି ମହାରଥୀ କହିଛନ୍ତି । ଆଳୁ ମିଶନ ଫେଲ ମାରିବା ଓ ଶୀତଳ ଭଣ୍ଡାର ବନ୍ଦ ହେବା ନେଇ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପରୋକ୍ଷରେ ଦାୟୀ କରିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ।