
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ “ବିଶ୍ଵ ସ୍ୱାସ୍ଥ୍ୟ ଦିବସ” ଅବସରରେ ଚିର ସ୍ୱାସ୍ଥ୍ୟ ପାଇଁ ସ୍ଵାସ୍ଥ୍ୟ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ନକୁଳ ସାହୁ ଉପସ୍ଥିତ ରହି କହିଲେ ସ୍ୱାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ରହିଲେ ଧାର୍ମିକ, ଆର୍ଥିକ, ସବୁକାମ ଓ ମୁକ୍ତି ପାଇଁ ସାଧନା କରିପାରିବେ। ସୁସ୍ଥ ରହିବା ପାଇଁ ଆମ ଶରୀରରେ ଥିବା ତିନି ଦୋଷ, ଧାତୁ ଅଗ୍ନି, ଜଠରାଗ୍ନି, ଏକାଦଶ ଇନ୍ଦ୍ରିୟ ଓ ଆତ୍ମାକୁ ପବିତ୍ର ରଖିବାକୁ ପଡିବ। ଏଥିପାଇଁ ପ୍ରାତଃରୁ ଶଯ୍ୟା ତ୍ୟାଗ କରି ଭ୍ରମଣ, ଯୋଗ, ଆସନ, ପ୍ରାଣାୟାମ କରିବେ। କାୟିକ, ମାନସିକ, ସାମାଜିକ ସଦାଚାର ପାଳନ କରିବେ। ସାତ୍ତ୍ୱିକ ଆହାର ବିହାର ଓ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିବ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ପବିତ୍ର ଜନ୍ମ ଦିବସ ଅବସରରେ ଆଜିର ପ୍ରାୟୋଜିକା ସୁଜ୍ଞାନୀ ସାହୁ ଓ ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି।