ଭାରତୀୟ ଷ୍ଟାର ଆଥଲେଟ୍ ହିମା ଦାସ ଏବଂ ମହମ୍ମଦ ଅନାସଙ୍କୁ ଟାବୋର ଆଥଲେଟିକ୍ସ ମିଟ୍ରେ ସ୍ବର୍ଣ୍ଣ ପଦକ ମିଳିଛି । ଚେକ୍ ରିପବ୍ଲିକ୍ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ହିମା 200 ମି. ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହମ୍ମଦ ଅନାସ 400 ମି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଅନ୍ୟତମ ଭାରତୀୟ ଖେଳାଳି ଭି କେ ବିସ୍ମୟା 200 ମି ବର୍ଗରେ ରୌୀପ୍ୟ ପଦକ ହାସଲ କରିଥିଲେ । ବିଗତ 20 ଦିନ ମଧ୍ୟରେ 4ଟି ଅନ୍ତର୍ଜାତୀୟ ପଦକ ହାସଲ କରିଥିବା ହିମା 23.25 ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଭିକେ ବିସ୍ମୟା 23.43 ସେକେଣ୍ଡର ଟାଇମିଂ ନେଇ ରୌପ୍ୟ ପଦକ ହାସଲ କରିଥିଲେ । ଚାରିଟି ସ୍ବର୍ଣ୍ଣ ହାସଲ କରିଥିଲେ ମଧ୍ୟ ବିଶ୍ବ ଚାମ୍ପିୟନ୍ସିପ୍ ନିମନ୍ତେ ଯୋଗ୍ୟତା ହାସଲ କରିପାରି ନାହାନ୍ତି ହିମା । ବିଶ୍ବ ଚାମ୍ପିୟନଶିପ୍ ଯୋଗ୍ୟତା ହାସଲ ନିମନ୍ତେ 23.02 ସେକେଣ୍ଡର ସମୟ ରହିଛି । ସେହିପରି 400 ମିଟର ବର୍ଗରେ 45.40 ସେକେଣ୍ଡ ସମୟ ନେଇ ମହମ୍ମଦ ଅନାସ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ବିଶ୍ବ ଚାମ୍ପିୟନ୍ସିପ୍ ଯୋଗ୍ୟତା ହାସଲ ନିମନ୍ତେ 45.30 ସେକେଣ୍ଡର ଟାଇମିଂ ରହିଛି ।