ୱେଭ୍ସ ୨୦୨୫: ‘‘ମେକ୍‌ ଦ ୱାର୍ଲ୍ଡ ୱିର୍‌ ଖଦୀ’’ ଚାଲେଞ୍ଜର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ନାମ ଘୋଷଣା

Published: Apr 9, 2025, 9:35 pm IST

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆଡଭାର୍ଟାଇଜିଂ ଏଜେନ୍ସି ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଏଆଇ) ର ମିଳିତ ସହଯୋଗରେ ଆୟୋଜିତ ‘‘ମେକ୍‌ ଦ ୱାର୍ଲ୍ଡ ୱିର୍‌ ଖଦୀ’’ (ବିଶ୍ୱକୁ ଖଦୀ ପ୍ରତି ଆଗ୍ରହୀ କରିବା) ଚାଲେଞ୍ଜର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ମଇ ୧ରୁ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଅଡିଓ-ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀର ଅଂଶବିଶେଷ ଭାବେ ଆୟୋଜିତ ହେଉଥିବା ୩୨ଟି କ୍ରିଏଟ୍‌ ଇନ୍‌ ଇଣ୍ଡିଆ ପ୍ରତିଯୋଗିତା ମଧ୍ୟରୁ ‘‘ମେକ୍‌ ଦ ୱାର୍ଲ୍ଡ ୱିର୍‌ ଖଦୀ’’ ଚାଲେଞ୍ଜ ଅନ୍ୟତମ।

ପ୍ରତିଯୋଗିତାରେ ଭାଗ ନେଇଥିବା ମୋଟ୍‌ ୭୫୦ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପାଞ୍ଚ ଜଣ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଲେ – ହାଭାସ୍‌ ୱାର୍ଲ୍ଡ ୱାଇଡ୍‌ ଇଣ୍ଡିଆର ଇମାନ ସେନଗୁପ୍ତ ଓ ସୋହମ ଘୋଷ, ୨୨ ଫିଟ୍‌ ଟ୍ରାଇବାଲର କାର୍ତ୍ତିକ ଶଙ୍କର ଓ ମଧୁମିତା ବସୁ, ଇଣ୍ଟରଏକ୍ଟିଭ ଏଭିନ୍ୟୁର କାଜଲ୍‌ ତିର୍ଲୋତ୍କର, ଡିଡିବି ମୁଦ୍ରା ଗ୍ରୁପର ତନ୍ମୟ ରାଉଳ ଓ ମନ୍ଦାର ମହାଦିକ, ଡିଡିବି ମୁଦ୍ରା ଗ୍ରୁପର ଆକାଶ ମେଜାରୀ ଓ କାଜଲ ଜେସ୍ୱାନି।

ନିଜ କାମ ପଛରେ ରହିଥିବା ଅନ୍ତର୍ଦୃଷ୍ଟିକୁ ବ୍ୟକ୍ତ କରି ଅଂଶଗ୍ରହଣକାରୀମାନେ ଖଦୀର ପରିବର୍ତ୍ତିତ ପରିଚୟ ଉପରେ ଆଲୋକପାତ କରିଥିଲେ। ଭାରତର ସ୍ବାଧୀନତା ଆନ୍ଦୋଳନର ପ୍ରତୀକ ଠାରୁ ଦୀର୍ଘସ୍ଥାୟୀ ଫେସନ ସମାଧାନ ପର୍ଯ୍ୟନ୍ତ ଖଦୀର ଯାତ୍ରାକୁ ସେମାନେ ଦର୍ଶାଇଛନ୍ତି।

ଚୂଡ଼ାନ୍ତ ବିଜେତାମାନଙ୍କୁ ୱେଭସ୍ ସମ୍ମିଳନୀ ୨୦୨୫ରେ ସମ୍ମାନିତ କରାଯିବ। ସେଠାରେ ସେମାନଙ୍କର ପ୍ରଚାର ଅଭିଯାନକୁ ନୀତି ନିର୍ଦ୍ଧାରକ, ବିଶ୍ୱସ୍ତରୀୟ ପ୍ରତିନିଧି, ଗଣମାଧ୍ୟମ ନେତୃତ୍ୱ ଏବଂ ଶିଳ୍ପ ଅଂଶୀଦାରଙ୍କ ଆଗରେ ଉପସ୍ଥାପନ କରାଯିବ।

Related posts