ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ ଯାତ୍ରା, ମାଉସୀଙ୍କ ଘରେ ପିଠା ଖାଇ ଫେରିଲେ ମା’

Published: Apr 12, 2025, 6:11 pm IST
Budhithakurani

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ବୁଧବାର ଥିଲା ସପ୍ତମ ଦିବସ। ରୀତିନୀତି ଅନୁଯାୟୀ, ବୁଧବାର ମାଉସୀ ମାଆଙ୍କ ଘରେ ପହଞ୍ଚିଥିଲେ। ସନ୍ଧ୍ୟା ଆଳତି ପରେ ପ୍ରଥମେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା। ମା’ ଅସ୍ଥାୟୀ ମଣ୍ଡପରୁ ବାହାରି ପ୍ରଥମେ ରାଜବାଟିକୁ ଯାଇଥିଲେ । ସେଠାରୁ ବଡ଼ ବଜାର ହୋଇ ଜଉରା ସାହି ସ୍ଥିତ ମାଉସୀ ମାଆଙ୍କ ଘରେ ପହଞ୍ଚିଥିଲେ।

ମାଉସୀଙ୍କ ଘରେ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ମାଉସୀ ମା’ ଘରକୁ ଝିଅ ଯାଇଥିବା ହେତୁ ବିଭିନ୍ନ ପ୍ରକାର ମେଲାଣି ଦିଆଯାଇଥିଲା। ସଂପୂର୍ଣ ଯାତ୍ରା ଭିତରେ ମା’ ସର୍ବମୋଟ ୩ ଥର ମାଉସୀ ମା’ଙ୍କ ଘରକୁ ଯାଇଥାନ୍ତି। ସେଠାରେ ପିଠା ପଣା ଆଦି ଭୋଗ ଲାଗିଥିଲା ।   ସେଠାରୁ ମାଁଙ୍କ ଘଟ ଖାସ୍‌ପା ସାହି ପରକ୍ରମା କରିଥିଲା ସେଠାରେ ହରି ଅର୍ଜୁନ ରଥକୁ ନିମନ୍ତ୍ରଣ କରା ଯାଇଥିଲା। ସେହିଭଳି ନୃସିଂହ ମନ୍ଦିର ସାହି ପରିକ୍ରମା କରି ଶ୍ରୀରାମ ରଥ, ଚନ୍ଦ୍ରଶେଖର ମନ୍ଦିର ସାହି ସ୍ଥିତ ବୀର ହନୁମାନ ରଥ, ଶଙ୍ଖାରୀ ସାହିର ଲକ୍ଷ୍ମଣ ରଥ, ଜମାଦେଇ ପେଣ୍ଠ ସାହି ସ୍ଥିତ ଜଗନ୍ନାଥ ରଥ, ପୁରୁଣା ବ୍ରହ୍ମପୁର ସ୍ଥିତ ମହାବୀର କଣ୍ଠ ରଥକୁ ନିମନ୍ତ୍ରଣ କରାଯାଇଥିଲା ।

ସେଠାରୁ ଖାସ୍‌ପା ସାହି ରାସ୍ତା ଦେଇ ନଡ଼ିଆ ଗୋର୍ଯି ବାଟରେ ଅସ୍ଥାୟୀ ମଣ୍ଡପରେ ମା’ ବିଜେ କରିଥିଲେ। ମା’ଙ୍କ ଘଟ ପରିକ୍ରମା ବେଳେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ହୋଇଥିଲା। ସାହିରେ ମହିଳାମାନେ ମା’ଙ୍କ ପାଦରେ ହଳଦି ପାଣି ପକାଇଥିଲେ। ସେହିଭଳି ଅସ୍ଥାୟୀ ମଣ୍ଡପ ସାମ୍ନାରେ ସ୍ଥାପିତ ଧର୍ମଝଣ୍ଡା ନିକଟରେ ମହିଳାମାନେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି।

Related posts