
ବ୍ରହ୍ମପୁର : ଗଞ୍ଜାମ ଜଳ୍ଲାର ଋଷିକୁଲ୍ୟା ମୁହାଣ ସମୂଦ୍ର ଉପକୂଳରେ ଅଲିଭ ରିଡଲେ କଇଁଛ ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଲକ୍ଷାଧିକ ସଂଖ୍ୟାରେ କୁନି କୁନି କଇଁଛ ଛୁଆ ସମୁଦ୍ରମୁହାଁ ହୋଇଛନ୍ତି। କୁନିକୁନି କଇଁଛ ଛୁଆ ବେଳାଭୂମିରୁ ବାହାରି ସମୁଦ୍ର ଆଡ଼କୁ ଯାଉଥିବା ଦୃଶ୍ୟ ବେଶ ନିଆରା ଲାଗୁଛି।
ଏହି ପ୍ରକ୍ରିୟା ୪ରୁ ୫ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଖଲ୍ଲିକୋଟ ବନ ବିଭାଗ ରେଞ୍ଜର ଦିବ୍ୟଶଙ୍କର ବେହେରା ସୂଚନା ଦେଇଛନ୍ତି। ଏଥିପାଇଁ ଋଷିକୁଲ୍ୟା ମୁହାଣର ଉଭୟ ପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକା ଶଯ୍ୟାରେ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଗଣଅଣ୍ଡାଦାନ ହୋଇଥିଲା ।
ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପ୍ରାୟ ୯ଲକ୍ଷ ଅଲିଭ୍ ରିଡ୍ଲେ କଇଁଛ ଗଣଅଣ୍ଡାଦାନ କରିଥିଲେ। ଫେବ୍ରୁଆରି ୧୬ରୁ ୨୩ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଗଣ ଅଣ୍ଡା ଦାନରେ ପ୍ରାୟ ୬ଲକ୍ଷ ୯୮ହଜାର କଇଁଛ ଅଣ୍ଡାଦାନ କରିଥିଲେ। ଏହାର ପ୍ରାୟ ୧ମାସ ପରେ ମାର୍ଚ୍ଚ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଗଣଅଣ୍ଡାଦାନରେ ୨ଲକ୍ଷ ୫ହଜାର କଇଁଛ ସାମିଲ ହୋଇଥିଲେ ।