
ଦ ସମୀକ୍ଷା ବ୍ୟୁରୋ: ଓଡ଼ିଶାର ପାରମ୍ପାରିକ ଖାଦ୍ୟର ପ୍ରସାର ସହ ଉତ୍ତରପୀଢ଼ିକୁ ପରିଚିତ କରାଇବା ଲକ୍ଷ୍ୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ପାରମ୍ପାରିକ ଖାଦ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ “ଆମ ରୁଚି ଆମ ଖାଦ୍ୟ” ଉତ୍ସବ ଜିଲ୍ଲା ସଦର ମହକୁମା ସହ ସମସ୍ତ ବ୍ଲକରେ ପାଳିତ ହୋଇଛି ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସୁବର୍ଣପୁର ପୌର ପରିଷଦ ପକ୍ଷରୁ ପୌର ପରିଷଦ ପରିସରରେ ଆୟୋଜିତ ପାରମ୍ପାରିକ ଖାଦ୍ୟ ଅଭିଯାନରେ ସୁବର୍ଣ୍ଣପୁର ମାଟିର ନିଜସ୍ୱ ଖାଦ୍ୟ ଓ ପାରମ୍ପାରିକ ଖାଦ୍ୟ ପ୍ରଦର୍ଶିତ ହୋଇଛି । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ତତ୍ୱାବଧାନରେ ଆୟୋଜିତ ଖାଦ୍ୟମେଳାରେ ସହରାଞ୍ଚଳର ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ସୁବର୍ଣ୍ଣପୁରର ପ୍ରସିଦ୍ଧ ଚାଉଳ ବରା, ଚକାପିଠା,ମୁଗ ରସବରା,ମୁଗମଣ୍ଡା ଓ ପୋଡ଼ପିଠାଠୁ ଆରମ୍ଭକରି ପୁଷ୍ଟିକର ମିଲେଟ ପ୍ରସ୍ତୁତ ନାନାଦି ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତି ଓ ପ୍ରଦର୍ଶନ କରିଛନ୍ତି।
ଏହି ଖାଦ୍ୟ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ,ଅଞ୍ଜଳିନା ପ୍ରଧାନ ଓ ଉପ ଜିଲ୍ଲାପାଳ ସୌମରୂପା ରଥ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । କ୍ରମଶଃ ହଜିଯାଉଥିବା ପାରମ୍ପାରିକ ଖାଦ୍ୟ ସାମଗ୍ରୀର ପୁନଃଚଳନ ସହ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଶୃଙ୍ଖଳକୁ ଆପଣାଇବା ଓ ନିଜ ସଂସ୍କୃତିକୁ ବଜାୟ ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଛନ୍ତି।