ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ବୟାନ, କହିଲେ..

Published: Apr 15, 2025, 5:12 pm IST
MohanMajhi

ଭୁବନେଶ୍ବର: ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।

ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗ୍‍ଣ ମାନସିକତାର ବ୍ୟକ୍ତି ହୋଇଥିବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ମଧ୍ୟ ହୋଇ ସାରିଛନ୍ତି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ୍ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି ଓ ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ବିଜୁବାବୁଙ୍କ ପ୍ରତି ତାଙ୍କର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିକଟରେ ମାର୍ଚ୍ଚ 5 ତାରିଖରେ ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଏପ୍ରଲ 17 ତାରିଖରେ ପାଳନ କରାଯିବ ।

Related posts