ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ରାୟକୁ ପାଳନ କରିଛି ପାକିସ୍ତାନ । ଶୁକ୍ରବାର ଇମ୍ରାନ ଖାଁଙ୍କ ସରକାର ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସମ୍ପର୍କ ସ୍ଥାପନ ବା କୂଟନୈତିକ ଯୋଗାଯୋଗ ସୁବିଧା ପ୍ରଦାନକୁ ଅନୁମୋଦନ କରିଛନ୍ତି । ଏହାଦ୍ବାରା କୁଳଭୂଷଣଙ୍କ ସହିତ ଭାରତୀୟ କୂଟନୀତିଜ୍ଞ, ଦୂତାବାସ କର୍ମଚାରୀ ଓ ଭାରତୀୟ ଅଧିକାରୀଙ୍କର ଯୋଗାଯୋଗ ହୋଇପାରିବ । ଆଇସିଜେ ରାୟକୁ ସମ୍ମାନ ଜଣାଇ ଏବଂ ଭିଏନ୍ନା ରାଜିନାମାର ଧାରା 36(1ବି) ଆଧାରରେ କୁଳଭୂଷଣଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଦାୟିତ୍ବବାନ ରାଷ୍ଟ୍ର ଭାବେ ପାକିସ୍ତାନ ଏହାର ରାଷ୍ଟ୍ରୀୟ ନୀତି ଅନୁସାରେ ଏହି ସୁବିଧା ଯୋଗାଇ ଦେବ ବୋଲି ବିଦେଶ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି । ଭାରତ ପକ୍ଷରୁ ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଇସିଜେ ରାୟ ଅନୁସାରେ ତୁରନ୍ତ କୁଳଭୂଷଣଙ୍କୁ କୂଟନୈତିକ ଯୋଗାଯୋଗ ବ୍ୟବସ୍ଥା କରାଇବାକୁ ପାକିସ୍ତାନ ନିକଟରେ ଦାବି କରିଥିଲେ ।