ସମୀକ୍ଷା ବ୍ୟୁରୋ
ସାରଥୀ ବାବାଙ୍କୁ ନେଇ ସାରା ଓଡିଶାରେ ତୁମ୍ବିତୋଫାନ ହୋଇଥିଲା। ବାବାଙ୍କ କାରନାମା ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା। ଏସବୁ ସତ୍ବେ କେତେକ ଲୋକଙ୍କ ମନରୁ ବାବାଙ୍କ ପ୍ରତି ଥିବା ଭକ୍ତି ଭାବ ଏବେବି ହ୍ରାସ ଘଟି ନାହିଁ। ଦୀର୍ଘ ବର୍ଷର ନିରବତା ପରେ ପୁଣି ଥରେ ଏହି ଅନ୍ଧ ଭକ୍ତମାନେ ସାରଥୀ ବାବାଙ୍କ ପୂଜା ଆରମ୍ଭ କରିଛନ୍ତି। ସାରଥୀଙ୍କ ଫଟୋରେ ଫୁଲମାଳ ଦେଇ ଗ୍ରାମ୍ୟ ପରିକ୍ରମା ମଧ୍ୟ କରିଛନ୍ତି। ଏହି ଘଟଣାଟି ବାଲେଶ୍ବର ଜିଲ୍ଲାର ଏକ ଗ୍ରାମରେ ଘଟିଛି। କେନ୍ଦ୍ରାପଡା, ଜଗତସିଂପୁର ଏବଂ ବାଲେଶ୍ବରର କେତେକ ଭକ୍ତ ଗତକାଲି ସେଠାରେ ଏକାଠି ହୋଇଥିଲେ। ସାରଥୀଙ୍କ ଫଟୋରେ ପୂଜାଅର୍ଚ୍ଚନା କରିବା ପରେ ସତସଂଗର ମଧ୍ୟ ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ଲୋକେ ଏ ଖବର ଜାଣିବା ପରେ ସେମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ଅନୁରୋଧ କଲେ। ହେଲେ ସେମାନେ ନ ଶୁଣିବାରୁ ପୋଲିସଙ୍କୁ ଖବର ଦେଲେ। ପୋଲିସ ଆସି ଏପରି ପୂଜାକୁ ବନ୍ଦ କରିବା ପରେ ଭକ୍ତମାନେ ସେ ସ୍ଥାନ ଛାଡି ଚାଲିଯାଇଥିଲେ। ସନ୍ତୋଷ ରାଉଳ ଓରଫ ସାରଥୀ ବାବାଙ୍କୁ ଓଡିଶା କ୍ରାଇମ ବ୍ରାଞ୍ଚ 2016 ମସିହାରେ ଗିରଫ କରିଥିଲା। ସେ ଦୀର୍ଘ ମାସ ଧରି ଜେଲରେ ରହିବା ପରେ ଜାମିନିରେ ବର୍ତ୍ତମାନ ଆସିଛନ୍ତି।