ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଭାରତ କିଛି କଠୋର ପଦକ୍ଷେପ ନେଇଥିବାବେଳେ ପାକିସ୍ତାନ ମଧ୍ୟ ଏହାର ପାଲଟା କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ବିମାନ ସେବା ପାଇଁ ପାକିସ୍ତାନ ତାର ଆକାଶ ସୀମା ବନ୍ଦ କରିବା। ଏହାର ଅର୍ଥ ହେଉଛି ଯେ, ଭାରତୀୟ ବିମାନଗୁଡ଼ିକ ପାକିସ୍ତାନ ଉପରେ ଉଡ଼ି ଅନ୍ୟ ଦେଶକୁ ଯାଇ ପାରିବେ ନାହିଁ।
ବିମାନଗୁଡ଼ିକୁ ବିକଳ୍ପ ରାସ୍ତା ନେବାକୁ ପଡିବ:
ତଥାପି ପାକିସ୍ତାନର ଏହି ନିଷ୍ପତ୍ତି ଯୋଗୁଁ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କ ବିମାନ ଚଳାଚଳ ପାଇଁ ପ୍ରତି ସପ୍ତାହରେ ପ୍ରାୟ ୭୭ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡୁଛି। ପାକିସ୍ତାନର ଆକାଶପଥ ବନ୍ଦ ହେବା ଯୋଗୁଁ, ବିମାନଗୁଡ଼ିକୁ ଅନେକ ଦେଶକୁ ଯାତ୍ରା କରିବା ପାଇଁ ବିକଳ୍ପ ରାସ୍ତା ବାଛିବାକୁ ପଡୁଛି। ଏହି କାରଣରୁ ଇନ୍ଧନ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ଏବଂ ଅଧିକ ସମୟ ମଧ୍ୟ ନେଉଛି। ଉତ୍ତର ଭାରତରୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ସଂଖ୍ୟା ଏବଂ ବର୍ଦ୍ଧିତ ସମୟସୀମାକୁ ଆଧାର କରି, ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ କରିଛି ଯେ, ପ୍ରତି ମାସରେ ପରିଚାଳନାଗତ ଖର୍ଚ୍ଚ ୩୦୭ କୋଟି ଟଙ୍କାରୁ ଅଧିକ ହୋଇପାରେ।