
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ବଢ଼ୁଥିବା ଶତ୍ରୁତା ମଧ୍ୟରେ ଅମୃତସରରେ ଦୁଇଜଣ ପାକିସ୍ତାନୀ ଗୁପ୍ତଚର ଧରାପଡ଼ିଛନ୍ତି। ଅମୃତସର ଗ୍ରାମୀଣ ପୋଲିସ ଶେର ମସିହ ଏବଂ ସୁରଜ ମସିହ ନାମକ ଦୁଇ ଜଣଙ୍କୁ ଗିରଫ କରିଛି, ଯେଉଁମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ଏଜେଣ୍ଟ ବୋଲି ଅଭିଯୋଗ ହୋଇଛି।
ଅଭିଯୁକ୍ତ ପାକିସ୍ତାନୀ ଗୁପ୍ତଚର ଅମୃତସରରେ ରହି ଭାରତୀୟ ସେନା ଏବଂ ଅମୃତସର ଏୟାରବେସ୍ ସହ ଜଡିତ ସୂଚନା ପାକିସ୍ତାନକୁ ଦେଉଥିଲେ। କୁହାଯାଉଛି ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥାଗୁଡ଼ିକ ଅମୃତସର ଜେଲରେ ବନ୍ଦୀ ହରପ୍ରୀତ ସିଂହ ଓରଫ ହାପି ମାଧ୍ୟମରେ ଏହି ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ।
ଅଭିଯୁକ୍ତ ସୁରଜ ମସିହ ଏବଂ ପଲକ ଶେର ମସିହ ଅମୃତସରର ବାଲହଡୱାଲର ବାସିନ୍ଦା। ପୋଲିସ ତଦନ୍ତରୁ ନିଶ୍ଚିତ ହୋଇଛି ଯେ, ଉଭୟ ଗୁପ୍ତଚର ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ପାଇଁ କାମ କରୁଥିଲେ। ଏହି ଆଇଏସଆଇ ଏଜେଣ୍ଟମାନେ ଏକ ଫୋନ୍ ମାଧ୍ୟମରେ ସେନା ଗତିବିଧି ଏବଂ ଅମୃତସର ଏୟାରବେସର ଫଟୋ ଏବଂ ଭିଡିଓ ଆଇଏସଆଇକୁ ପଠାଉଥିଲେ। ଏଥିପାଇଁ ତାଙ୍କୁ ସିମ୍ କାର୍ଡ ଏବଂ ଫୋନ୍ ଯୋଗାଇ ଦିଆଯାଇଥିଲା।
ଅମୃତସର ପୋଲିସ କହିଛି ଯେ, ଏହି ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରାଯାଉଛି। ଦୁଇ ଅଭିଯୁକ୍ତ ଏପର୍ଯ୍ୟନ୍ତ ପାକିସ୍ତାନକୁ କେଉଁ ସୂଚନା ଦେଇଛନ୍ତି ଏବଂ ଏହା ପଛରେ ସେମାନଙ୍କର ଉଦ୍ଦେଶ୍ୟ କ’ଣ ଥିଲା ତାହା ତଦନ୍ତ କରାଯାଉଛି। ଏହି କାର୍ଯ୍ୟରେ ତାଙ୍କ ସହିତ ଆଉ କିଏ ସାମିଲ ଅଛନ୍ତି ତାହା ମଧ୍ୟ ଖୋଜିବା ପାଇଁ ପ୍ରୟାସ କରାଯାଉଛି।
ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଏହି ISI ଏଜେଣ୍ଟମାନଙ୍କଠାରୁ ସେନା କ୍ୟାଣ୍ଟନମେଣ୍ଟ ଏବଂ ଏୟାରବେସ୍ ବିଷୟରେ ସୂଚନା ସମ୍ବଳିତ କାଗଜପତ୍ର ମିଳିଛି ଏବଂ କିଛି ଫଟୋଗ୍ରାଫ୍ ମଧ୍ୟ ଉଦ୍ଧାର କରାଯାଇଛି। ଏହି ଅଭିଯୁକ୍ତମାନଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହିତ ସମ୍ପର୍କ ଯାଞ୍ଚ କରାଯାଉଛି।