ବ୍ରିଟେନ୍ର ଏକ ତୈଳବାହୀ ଜାହାଜକୁ ଇରାନ ଜବତ କରିବା ଘଟଣା ନେଇ ବ୍ରିଟେନ ବିଦେଶ ମନ୍ତ୍ରୀ ଜେରେମି ହଣ୍ଟ କହିଛନ୍ତି ଇରାନର ଏହି କାର୍ଯ୍ୟ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମରେ ବାଧା ସୃଷ୍ଟି କରିବ। ତୁରନ୍ତ ସେହି ତୈଳ ଟ୍ୟାଙ୍କର ଓ ଏହାର କର୍ମଚାରୀମାନଙ୍କୁ ଖଲାସ କରିବା ପାଇଁ ସେ ଇରାନକୁ କହିଛନ୍ତି। ଉପସାଗରୀୟ ଅଞ୍ଚଳରେ ନୌଚଳାଚଳ ସ୍ୱାଧୀନତାକୁ ସମ୍ମାନ ଦେବାକୁ ସେ ଇରାନକୁ ପରାମର୍ଶ ଦେଇଛନ୍ତି। ଏହି ତୈଳ ଟ୍ୟାଙ୍କରରେ ଥିବା ୨୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ବ୍ରିଟେନ୍ର ଏକ ତୈଳବାହୀ ଜାହାଜକୁ ଇରାନ ଶୁକ୍ରବାର ଜବତ କରିଛି। ହର୍ମୌଜ ଉପସାଗରରେ ଏକ ମାଛଧରା ନୌକାକୁ ଧକ୍କା ଦେବା ଅଭିଯୋଗରେ ଏଭଳି ପଦକ୍ଷେପ ନେଇଥିବା ଇରାନ ଦର୍ଶାଇଛି। ‘ଷ୍ଟେନା ଇମ୍ଫରୋ’ ନାମକ ଏହି ଜାହାଜ(ତୈଳ ଟ୍ୟାଙ୍କର)ରେ ୧୮ଜଣ ଭାରତୀୟ ରହିଥିବା ଜଣାପଡ଼ିବା ପରେ ସେମାନଙ୍କ ମୁକ୍ତି ପାଇଁ ଭାରତ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଶନିବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇରାନ୍ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିବା ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ।