
ନୂଆଦିଲ୍ଲୀ: ‘ଅପରେସନ୍ ସିନ୍ଦୂର’ ଜରିଆରେ ଭାରତର ନିର୍ଣ୍ଣାୟକ ସାମରିକ ପରେ, ପାକିସ୍ତାନ ଏକ ସଂଗଠିତ ଏବଂ ଉଗ୍ର ଅପପ୍ରଚାର ଅଭିଯାନ ଆରମ୍ଭ କରିଛି-ସତ୍ୟକୁ ବିକୃତ କରିବା ପାଇଁ ମିଥ୍ୟା ଓ ବିଭ୍ରାନ୍ତିକର ଡିଜିଟାଲ୍ ସୂଚନା ବ୍ୟବହାର କରି ଧ୍ୟାନ ହଟାଇବା ଲାଗି ଏକ ହତାଶ ପ୍ରୟାସ କରିଛି।
ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଅଭିଯାନ ସଠିକ୍ ଏବଂ ପ୍ରଭାବଶାଳୀ ହୋଇଥିବାବେଳେ, ଏହି ମାମଲା ବର୍ତ୍ତମାନ ଏକ ଅନଲାଇନ୍ ଅପପ୍ରଚାର ଯୁଦ୍ଧରେ ପରିଣତ ହୋଇଛି। ପାକିସ୍ତାନ ସମର୍ଥିତ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଏପରିକି କେତେକ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ଜାଣିଶୁଣି ମିଥ୍ୟା ଖବର ପ୍ରଚାର କରୁଛନ୍ତି, କାଳ୍ପନିକ ସାମରିକ ବିଜୟ ଏବଂ କାଳ୍ପନିକ ପ୍ରତିଶୋଧର କାହାଣୀ ସୃଷ୍ଟି କରୁଛନ୍ତି ଯାହାର ବାସ୍ତବତା ସହିତ କୌଣସି ସମ୍ପର୍କ ନାହିଁ।
ସତ୍ୟକୁ ଲୁଚାଇବା ଏବଂ ଭୂମିଗତ ବାସ୍ତବତାରୁ ଧ୍ୟାନ ହଟାଇବା ପାଇଁ, ପାକିସ୍ତାନ ସହ ଜଡ଼ିତ ହୋଇଥିବା ସରକାରୀ ସମର୍ଥିତ ଆକାଉଣ୍ଟଗୁଡିକ ପୁଣି ଥରେ ସେମାନଙ୍କର ପୁରୁଣା କୌଶଳ ଅବଲମ୍ବନ କରିଛନ୍ତି। ସେମାନେ ପୁରୁଣା ଫଟୋଗୁଡ଼ିକର ପୁନଃ ବ୍ୟବହାର କରିବା ସହ ପୁରୁଣା ଭିଡିଓଗୁଡ଼ିକୁ ଭ୍ରମାତ୍ମକ ଭାବରେ ଉପସ୍ଥାପନ କରିବା ଏବଂ ସମ୍ପୂର୍ଣ୍ଣ ମନଗଢ଼ା ଦାବି କରିବାରେ ଲାଗିଛନ୍ତି ।ସେମାନଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ – ଜାଣିଶୁଣି ମିଥ୍ୟାର ଅପପ୍ରଚାରକୁ ଏପରି ଭାବରେ ବିସ୍ତାର କରିବା ଯାହା ଲୋକଙ୍କ ପାଇଁ ସତ୍ୟ ଏବଂ ମିଛ ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର ହୋଇପଡ଼ିବ।
ପୁରୁଣା ଫଟୋ ଏବଂ ଭ୍ରମାତ୍ମକ ଦାବି ହେଲା ଭାଇରାଲ୍
ଏହାର ଏକ ପ୍ରମୁଖ ଉଦାହରଣ ହେଉଛି ଏକ ଭାଇରାଲ ଫଟୋ ଯେଉଁଥିରେ ଦାବି କରାଯାଇଛି ଯେ, ପାକିସ୍ତାନ ସେନା ବାହାୱଲପୁର ନିକଟରେ ଏକ ଭାରତୀୟ ରାଫେଲ ବିମାନକୁ ଗୁଳି କରି ଖସାଇ ଦେଇଛି। କିନ୍ତୁ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ଫ୍ୟାକ୍ଟ ଚେକ୍ ଏହି ଦାବିକୁ ଖଣ୍ଡନ କରିଛି ଏବଂ ନିଶ୍ଚିତ କରିଛି ଯେ ଏହି ଫଟୋଟି ପ୍ରକୃତରେ ୨୦୨୧ ମସିହାରେ ପଞ୍ଜାବର ମୋଗାରେ ଘଟିଥିବା ଏକ ମିଗ୍-୨୧ ଦୁର୍ଘଟଣାର ତଥା ସାମ୍ପ୍ରତିକ ଘଟଣା ସହିତ ଏହାର କୌଣସି ସମ୍ପର୍କ ନାହିଁ।
ଆଉ ଏକ ଲଜ୍ଜାଜନକ ମିଥ୍ୟା ଦାବି ଏକ ଭିଡିଓ ଆକାରରେ ସାମ୍ନାକୁ ଆସିଛି ଯେଉଁଥିରେ ମିଥ୍ୟା ଦାବି କରାଯାଇଛି ଯେ ଭାରତୀୟ ସେନା ଚୋରା ପୋଷ୍ଟରେ ଏକ ଧଳା ପତାକା ଉତ୍ତୋଳନ କରି ଆତ୍ମସମର୍ପଣ କରିଛି। ଏହି ମିଥ୍ୟା ଏବଂ ମନଗଢ଼ା କାହାଣୀକୁ କେବଳ ପାକିସ୍ତାନ ମନ୍ତ୍ରୀ ଅତ୍ତା ଉଲ୍ଲା ତରାର ସମର୍ଥନ କରିନାହାନ୍ତି, ବରଂ ବିନା କୌଣସି ପ୍ରମାଣରେ ସର୍ବସାଧାରଣରେ ମଧ୍ୟ ସମର୍ଥନ କରିଛନ୍ତି । ଏହା ଏକ ସ୍ପଷ୍ଟ ମିଥ୍ୟା ଏବଂ ଅପ୍ରମାଣିତ କାହାଣୀକୁ ସରକାରୀ ସମର୍ଥନ ଦେଇ, ତରାର କେବଳ ନିଜର ନାଗରିକମାନଙ୍କୁ ବିଭ୍ରାନ୍ତ କରିନାହାନ୍ତି ବରଂ ଏହି ପ୍ରଚାର ଅଭିଯାନକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରିଛନ୍ତି ।
ଯୁଦ୍ଧର ପ୍ରମାଣ ରୂପରେ ଉପସ୍ଥାପନ କରାଯାଇଥିବା ଅପ୍ରାସଙ୍ଗିକ ଫୁଟେଜ୍
ଅନ୍ୟ ଏକ ବିଭ୍ରାନ୍ତିକର ପୋଷ୍ଟରେ ଗୋଟିଏ ଭିଡିଓ ସେୟାର କରାଯାଇ ଦାବି କରାଯାଇଛି ଯେ ପାକିସ୍ତାନ ବାୟୁସେନା ଶ୍ରୀନଗର ବାୟୁସେନା ଘାଟିକୁ ଟାର୍ଗେଟ କରିଛି। କିନ୍ତୁ ସତ୍ୟ ହେଉଛି ଯେ ଏହି ଭିଡିଓଟି ୨୦୨୪ ମସିହା ପ୍ରାରମ୍ଭରେ ପାକିସ୍ତାନର ଖାଇବର ପଖତୁନଖାୱା ଠାରେ ଘଟିଥିବା ସାମ୍ପ୍ରଦାୟିକ ସଂଘର୍ଷର। ଏହି ଭିଡିଓର କାଶ୍ମୀର କିମ୍ବା ନିକଟରେ ହୋଇଥିବା କୌଣସି ବିମାନ ଆକ୍ରମଣ ସହିତ କୌଣସି ସମ୍ପର୍କ ନାହିଁ।
ଆଉ ଗୋଟିଏ ଅଲଗା ଗୁଜବ ମଧ୍ୟ ଦାବି କରିଛି ଯେ ପାକିସ୍ତାନ ଭାରତୀୟ ବ୍ରିଗେଡ୍ ମୁଖ୍ୟାଳୟକୁ ଧ୍ୱଂସ କରିଦେଇଛି, କିନ୍ତୁ ପ୍ରତିରକ୍ଷା ସୂତ୍ର ଅନୁଯାୟୀ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢ଼ା।
ଏହାବ୍ୟତୀତ, ସେପ୍ଟେମ୍ବର ୨୦୨୪ରେ ରାଜସ୍ଥାନର ବାରମେରରେ ଏକ ମିଗ୍-୨୯ ବିମାନ ଦୁର୍ଘଟଣାର ଏକ ପୁରୁଣା ଫଟୋ ପାକିସ୍ତାନ ସମର୍ଥକ ସୋସିଆଲ ମିଡିଆ ଆକାଉଣ୍ଟ ଦ୍ୱାରା ପୁନଃ ପ୍ରସାରିତ ହୋଇଛି ଯାହାକୁ ଭାରତୀୟ ବାୟୁସେନାର କ୍ଷତି ବୋଲି ଦର୍ଶାଯାଇଛି, ଯଦିଓ ଏପରି କୌଣସି ଘଟଣା ଘଟିନାହିଁ।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ନିକଟରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଭାରତୀୟ ସୈନିକମାନଙ୍କୁ ଗିରଫ କରାଯାଇଥିବା ନେଇ ଭିତ୍ତିହୀନ ଦାବି କରିଥିଲେ, ଯାହାକୁ ପରେ ଅସ୍ୱୀକାର କରାଯାଇଥିଲା ଏବଂ ପ୍ରତ୍ୟାହାର କରାଯାଇଥିଲା।
ଆସିଫ ଅଭିଯୋଗ କରିଥିଲେ ଯେ ଭାରତର ଅପରେସନ ସିନ୍ଦୁରର ଜବାବରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ ସମୟରେ କିଛି ଭାରତୀୟ ସୈନିକଙ୍କୁ ବନ୍ଦୀ କରାଯାଇଛି। ତେବେ, ଏହି ଦାବିଗୁଡ଼ିକୁ ତୁରନ୍ତ ମିଥ୍ୟା ବୋଲି ଖାରଜ କରିଦିଆଯାଇଥିଲା, କାରଣ ଏପରି କୌଣସି ଦାବିକୁ ସମର୍ଥନ କରିବା ପାଇଁ କୌଣସି ସମର୍ଥନକାରୀ ପ୍ରମାଣ ନଥିଲା। ପରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ବିବୃତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ ଏବଂ ସ୍ୱୀକାର କରିଥିଲେ ଯେ କୌଣସି ଭାରତୀୟ ସୈନିକଙ୍କୁ ଅଟକ ରଖାଯାଇନାହିଁ।
ଭ୍ରମାତ୍ମକ ସୂଚନାର ରଣନୀତିକ ଉପଯୋଗ
ଏହି ଘଟଣାଗୁଡ଼ିକ, ଭାରତର ସଫଳ ଅପରେସନ ସିନ୍ଦୁର ପରେ, ଏକ ସଙ୍ଗଠିତ ଏବଂ ସୁଚିନ୍ତିତ ଢଙ୍ଗରେ ଗଣମାଧ୍ୟମକୁ ବିଭ୍ରାନ୍ତ କରିବା, ବିଶ୍ୱସ୍ତରୀୟ ବିଚାରବିମର୍ଶକୁ ବିକୃତ କରିବା ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଲାଗି ପାକିସ୍ତାନର ପ୍ରୟାସକୁ ପ୍ରତିଫଳିତ କରୁଛି।
ପାକିସ୍ତାନ ସୋସିଆଲ ମିଡିଆରେ ପୁରୁଣା ଫଟୋ, ଅପ୍ରାସଙ୍ଗିକ ଭିଡିଓ ଏବଂ ଅପରେସନର ପ୍ରକୃତ ଫଳାଫଳକୁ ଲୁଚାଇବାକୁ ଏବଂ ଏକ ପ୍ରଭାବଶାଳୀ ପ୍ରତିଶୋଧମୂଳକ ପ୍ରତିକ୍ରିୟାର ଭ୍ରମ ସୃଷ୍ଟି କରିବାକୁ ମନଗଢ଼ା ଦାବିରେ ଭରି ଦେଇଥିଲା। ଭାରତର କାର୍ଯ୍ୟାନୁଷ୍ଠାନର ସଫଳତାରୁ ଧ୍ୟାନ ହଟାଇବା, ଘରୋଇ ଜନସାଧାରଣଙ୍କ ଭାବନାକୁ ଉତ୍ତେଜିତ କରିବା ଏବଂ ଅନ୍ତର୍ଜାତୀୟ ମତାମତକୁ ପ୍ରଭାବିତ କରିବା ଏହି ରଣନୀତିର ଉଦ୍ଦେଶ୍ୟ ବୋଲି ଜଣାପଡୁଛି।