
TheSamikhsya Bureau: ଭାରତ ପାକିସ୍ଥାନ ମଧ୍ୟରେ ଟେନସନ ଲାଗିରହିଥିବା ବେଳେ ଦେଶର ଜନସାଧାରଣ ପାକିସ୍ଥାନ ଉପରେ ରାଗିବାରେ ଲାଗିଛନ୍ତି। ତେବେ ଏହି ରାଗ ସୁଜାଇବାକୁ ଗତକାଲି କରାଚି ବେକେରୀ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ଗେରୁଆ ଉତ୍ତରୀୟ ପକାଇ ଯୁବକମାନେ ହାଇଦ୍ରାବାଦର କରାଚି ବେକେରୀ ଉପରେ ଆକ୍ରମଣ କରିଥିଲେ। ସେମାନେ କରାଚୀ ବେକେରୀ ସାଇନବୋର୍ଡକୁ ଭଙ୍ଗାଋୁଜା କରିବାକୁ ଚେଷ୍ଠା କରିଥିଲେ।
ଏହି ଲୋକଙ୍କର ଦାବୀ ଯେ, କରାଚି ନାମଟି କଂପାନୀ ଶିଗ୍ର ହଟାଇ ଦେଉ। ସେହି ନାମରେ କୌଣସି ଜିନିଷ ଭାରତରେ ଚାଲିବ ନାହିଁ ବୋଲି ସେମାନେ ଦାବୀ କରିଛନ୍ତି। ଏହି ଭଙ୍ଗାରୁଜା ସମୟର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି। ତେବେ ବିକ୍ଷୋଭକାରୀମାନେ ଦୋକାନୀ ମାଲିକଙ୍କୁ ଏହି ନାମ ହଟାଇବାକୁ ବାଧ୍ୟ କରିବାରୁ ସେ ଏକ କପଡାରେ କରାଚି ନାମକୁ ଘୋଡାଇ ଦେଇଥିଲେ।
ତେବେ କରାଚି ବେକେରୀର ମାଲିକ ରାଜେଶ ଏବଂ ହରିଶ ରମାନାନି କହିଛନ୍ତି ଯେ, କରାଚି ବେକେରୀ ହେଉଛି ଶତ ପ୍ରତିଶତ ଭାରତୀୟ ବ୍ରାଣ୍ଡ। ଏହି ବ୍ରାଣ୍ଡ ୧୯୫୩ ମସିହାରେ ସେମାନଙ୍କ ଜେଜେବାପା ଖାନଚାନ୍ଦ ରାମନାନିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସେତେବେଳେ ସେ ବିଭାଜନ ପରେ ଭାରତ ପ୍ରବେଶ କରି ଏହି ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ରାଣ୍ଡ ସହିତ କରାଚିର କୌଣସି ସଂପର୍କ ନାହିଁ ବୋଲି ରାଜେଶ ଓ ହରିଶ କହିଛନ୍ତି।