ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ଶୀଲାଙ୍କୁ ଶେଷ ଦର୍ଶନ , ଅପରାହ୍ନ ୨.୩୦ ମିନିଟ୍‌ରେ ହେବ ଅନ୍ତିମ ସଂସ୍କାର

Published: Jul 21, 2019, 2:13 pm IST

ଦିଲ୍ଳୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ୍‌ଙ୍କ ପରଲୋକ ହୋଇଯାଇଛି । ଗତକାଲି ୮୧ ବର୍ଷରେ ଏହି ବରିଷ୍ଠ ରାଜନେତ୍ରୀଙ୍କର ପରଲୋକରେ ରାଜନୈତିକ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଜି ଅପରାହ୍ନ ୨.୩୦ ଘଟିକା ସମୟରେ ନିଗମ ବୋଧ ଘାଟଠାରେ ଶୀଲା ଦୀକ୍ଷିତ୍‌ଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ । ଦ୍ବିପ୍ରହର ୧୨ ଘଟିକା ସମୟରେ ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏଠାରେ ବହୁ ବରିଷ୍ଠ ନେତା ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ୟୁପିଏ ମୁଖ୍ୟ ସୋନିଆ ଗାନ୍ଧିଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ଓ ତୁଙ୍ଗ ନେତାମାନେ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ବିଜେପିର ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀ, ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା,ବିଜେପିର ବରିଷ୍ଠ ରାଜନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପ୍ରମୁଖ ଶୀଲା ଦୀକ୍ଷିତ୍‌ଙ୍କ ଶେଷ ଦର୍ଶନ କରିଛନ୍ତି । ଏତଦ୍‌ ବ୍ୟତୀତ ଅନ୍ୟାନ୍ୟ ରାଜନୖେତିକ ଦଳମାନଙ୍କର ବହୁ ଛୋଟ ବଡ଼ ନେତାମାନେ ମଧ୍ୟ ଶୀଲା ଦୀକ୍ଷିତ୍‌ଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶୀଲା ଦୀକ୍ଷିତଙ୍କ ପରଲୋକରେ ଦିଲ୍ଲୀରେ ଦୁଇଦିନିଆ ରାଜ୍ୟସ୍ତରୀୟ ଶୋକ ଦିବସ ପାଳନ କରାଯାଉଛି।

Related posts