ବିହାରର ସମସ୍ତୀପୁରର ସାଂସଦ ତଥା ଲୋକଜନଶକ୍ତି ପାର୍ଟି (ଏଲ୍ଜେପି)ର ବରିଷ୍ଠ ନେତା ରାମଚନ୍ଦ୍ର ପାଶଓ୍ବନ୍ଙ୍କ ରବିବାର ଦିନ ଦେହାନ୍ତ ହୋଇଯାଇଛି । ଜୁଲାଇ ୧୨ ତାରିଖରେ ସେ ହୃଦ୍ଘାତରେ ଆକ୍ରାନ୍ତ ହୋଇଥିବାବେଳେ ତାଙ୍କୁ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ କିଛିଦିନ ହେବ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଆଜି ଦ୍ବିପ୍ରହରରେ ସେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । କେନ୍ଦ୍ରୀୟ ମନ୍ତ୍ରୀ ରାମବିଲାସ୍ ପାଶଓ୍ବନଙ୍କ ଭାଇ ହେଉଛନ୍ତି ରାମଚନ୍ଦ୍ର ପାଶଓ୍ବାନ । ସୂଚନାଯୋଗ୍ୟ ଯେ, ଲୋକଜନଶକ୍ତି ପାର୍ଟିର ନେତା ରାମଚନ୍ଦ୍ର ପାଶଓ୍ବାନ୍ ହାଇପ୍ରୋଫାଇଲ୍ ସମସ୍ତୀପୁର ଲୋକସଭା ଆସନରୁ ଦ୍ବିତୀୟ ଥର ନିର୍ବାଚିତ ହୋଇ ସାଂସଦ ହୋଇଥିଲେ । ଚଳିତ ଲୋକସଭାରେ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାରଙ୍କୁ ହରାଇଥିଲେ ରାମଚନ୍ଦ୍ର ।