ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ବହୁ ଦିନ ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି। ଆଜି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଆଜି କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଚଳିତ ବର୍ଷ ମୋଟ ପାସହାର ୮୨.୭୭ ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସହାର ଅଧିକ ରହିଛି।
କଳାରେ ପାସହାର ୮୦.୫୧ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପାସହାର ୮୭.୪୯% ରହିଥିବାବେଳେ ବାଣିଜ୍ୟରେ ୮୩.୦୨% ଓ ଧନ୍ଦାମୂଳକରେ ପାସହାର ୬୦% ରହିଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳ https://results.odisha.gov.in ଏବଂ https://results.digilocker.gov.in ୱେବସାଇଟ୍ରେ ଜାଣିପାରିବେ।
ଉଭୟ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ବର୍ଗରେ ମୋଟ୍ ୩ଲକ୍ଷ ୯୩ ହଜାର ୬୧୮ ପିଲା ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧ ଜଣ ପିଲା ଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୮୦, ବାଣିଜ୍ୟରେ ୨୫ହଜାର ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୨୧ ଜଣ ପିଲା ରହିଛନ୍ତି।