ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଭାରତ ସରକାର ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ଆଜି ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଦେଶ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି, ବିଶେଷକରି ପରମାଣୁ ଘାଟି ଉପରେ ଆକ୍ରମଣ ସମ୍ପର୍କିତ ରିପୋର୍ଟ। ଆମେ ଉଭୟ ପକ୍ଷକୁ ଉତ୍ତେଜନା ବୃଦ୍ଧିକାରୀ ପଦକ୍ଷେପ ଏଡାଇବାକୁ ଏବଂ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବାକୁ ନିବେଦନ କରିଛୁ। ପ୍ରକାଶ ଯୋଗ୍ୟ ଯେ, ଦେଶର ଇରାନ ଏବଂ ଇସ୍ରାଏଲ ଉଭୟ ସହିତ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ଆବଶ୍ୟକ ହେଲେ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ଅଛି।
ପୂର୍ବରୁ ଇସ୍ରାଏଲରେ ଅବସ୍ଥିତ ଭାରତୀୟ ଦୂତାବାସ X (ପୂର୍ବରୁ ଟ୍ୱିଟର) ରେ ଟ୍ୱିଟ୍ କରି ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ଇସ୍ରାଏଲୀ କର୍ତ୍ତୃପକ୍ଷ ଏବଂ ହୋମ୍ ଫ୍ରଣ୍ଟ୍ କମାଣ୍ଡ ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷା ପ୍ରୋଟୋକଲ୍ ପାଳନ କରିବାକୁ ପରାମର୍ଶ ଦେଇଥିଲା। ଏହା ସହିତ ସତର୍କତା ଅବଲମ୍ବନ କରାଯାଇଛି ଏବଂ କୌଣସି ଜରୁରୀ କାମ ବିନା ବାହାରକୁ ଯିବାକୁ ବାରଣ କରାଯାଇଛି।
ଏହା ବ୍ୟତୀତ ଆଜି ଇରାନରେ ଥିବା ଭାରତୀୟ ଦୂତାବାସ ଇସ୍ରାଏଲର ଆକ୍ରମଣ ପରେ ଦେଶରେ ଉପସ୍ଥିତ ଭାରତୀୟମାନଙ୍କୁ ସତର୍କ ରହିବାକୁ ସମସ୍ତ ଅନାବଶ୍ୟକ କାର୍ଯ୍ୟକଳାପ ଏଡାଇବାକୁ ଏବଂ ସୁରକ୍ଷା ପ୍ରୋଟୋକଲ୍ ପାଳନ କରିବାକୁ ପରାମର୍ଶ ଦେଇଛି। ଇସ୍ରାଏଲ ଶୁକ୍ରବାର ସକାଳେ ଇରାନର ରାଜଧାନୀରେ ଦେଶର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ଲକ୍ଷ୍ୟରେ ଆକ୍ରମଣ କରିଥିଲା। ତେହେରାନରେ ଥିବା ଭାରତୀୟ ଦୂତାବାସ ଏକ ମାର୍ଗଦର୍ଶିକାରେ କହିଛି ଯେ, “ଇରାନର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବ ଲୋକଙ୍କୁ ସତର୍କ ରହିବାକୁ ସମସ୍ତ ଅନାବଶ୍ୟକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ, ଦୂତାବାସର ସୋସିଆଲ ମିଡିଆ ଆକାଉଣ୍ଟକୁ ଅନୁସରଣ କରିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପରାମର୍ଶ ଅନୁଯାୟୀ ସୁରକ୍ଷା ପ୍ରୋଟୋକଲ ପାଳନ କରିବାକୁ ଅନୁରୋଧ କରାଯାଇଛି।” ଏହା ବ୍ୟତୀତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି କହିଛନ୍ତି ଯେ, ତାଙ୍କ ଦେଶ ଇରାନର ପରମାଣୁ ଏବଂ ସାମରିକ ଘାଟିକୁ ଟାର୍ଗେଟ କରିଛି।



