ମେଳ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଡିଏନଏ, ଆଜି ସନ୍ଧ୍ୟାରେ ପରିବାରକୁ ହସ୍ତାନ୍ତର ହେବ ମୃତଦେହ

Published: Jun 15, 2025, 2:58 pm IST

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଡିଏନଏ ପରୀକ୍ଷା ମେଳ ଖାଉଛି। ଗୃହମନ୍ତ୍ରୀ ହର୍ଷ ସାଂଘଭି ଡିଏନଏ ମେଳ ଖାଉଛି ବୋଲି ନିଶ୍ଚିତ କରିଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ।

ଲଣ୍ଡନ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ବିଜୟ ରୂପାଣୀ ଥିଲେ। ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନ ଦୁର୍ଘଟଣାରୁ କେବଳ ଜଣେ ବଞ୍ଚି ଯାଇଥିଲେ। ଏହି ଦୁଃଖଦ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା।

ଏହି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ସମ୍ପର୍କରେ ଗୃହମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି ଯେ, “ଆମର ନେତା, ଯିଏ ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଗୁଜୁରାଟରେ ଜନସେବା ପାଇଁ ଉତ୍ସର୍ଗ କରିଥିଲେ, ତାଙ୍କର ଅଏୟାର ଇଣ୍ଡିଆ ବିମାନର ଦୁଃଖଦ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ସକାଳ ୧୧:୧୦ ରେ ତାଙ୍କ ଡିଏନଏ ନିଶ୍ଚିତ ହୋଇଛି।”

ପୂର୍ବରୁ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ରାକେଶ ଯୋଶୀ କହିଥିଲେ ଯେ, ମୃତକଙ୍କ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି ଏବଂ ରାଜ୍ୟ ସରକାର ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି।

ରାକେଶ ଯୋଶୀ କହିଛନ୍ତି ଯେ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ହସ୍ପିଟାଲରେ ଥିବା ୨୫୦ ରୁ ଅଧିକ ଡାକ୍ତର, ନର୍ସ, ପାରାମେଡିକାଲ୍ ଷ୍ଟାଫ୍ ଏବଂ ସ୍ୱେଚ୍ଛାସେବକଙ୍କ ଏକ ଦଳ ତୁରନ୍ତ ରିଲିଫ୍ ଏବଂ ଚିକିତ୍ସା ଦାୟିତ୍ୱ ନେଇଥିଲେ, ଯାହା ଅନେକଙ୍କ ଜୀବନ ବଞ୍ଚାଇ ଦେଇଥିଲା। ଆହତଙ୍କ ସମୟୋଚିତ ଚିକିତ୍ସା ସୁନିଶ୍ଚିତ କରାଯାଇଥିଲା ଏବଂ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ନମୁନା ମେଳ କରିବାର କାର୍ଯ୍ୟ ଫୋରେନସିକ୍ ବିଶେଷଜ୍ଞଙ୍କ ସହାୟତାରେ କରାଯାଉଛି।

Related posts