
ନୂଆଦିଲ୍ଲୀ: ଆଜି ଚୀନ୍ ପ୍ରତିରକ୍ଷା କମ୍ପାନୀ AVIC ଚେଙ୍ଗଦୁର ସେୟାର ୫ ପ୍ରତିଶତ ହ୍ରାସ ପାଇଛି। ବୁଧବାର ପୂର୍ବରୁ ହ୍ୱାଇଟ୍ ହାଉସରେ ପାକିସ୍ତାନୀ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ୍ ଅସୀମ ମୁନିର ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ଖବର ପ୍ରକାଶ ପାଇବା ପରେ, ଏହାର ସେୟାର ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା, କିନ୍ତୁ ଏହି ବୈଠକ ପରେ ବିଶେଷ କିଛି ଘୋଷଣା ନ ହେବା ପରେ ସେୟାର ପୁଣି କ୍ରାସ୍ ହୋଇଥିଲା। ପ୍ରକାଶ ଯେ, ଇରାନ-ଇସ୍ରାଏଲ ଯୁଦ୍ଧ ଏବଂ ଭାରତର ‘ଅପରେସନ୍ ସିନ୍ଦୁର’ ପରେ ଏହା ଟ୍ରମ୍ପ ଏବଂ ମୁନିରଙ୍କ ପ୍ରଥମ ବୈଠକ ଥିଲା।
ପାକିସ୍ତାନ ଜେ-୧୦ ଲଢ଼ୁଆ ଜେଟ୍ ବ୍ୟବହାର କରିଥିଲା
ଉଲ୍ଲେଖ ଯୋଗ୍ୟ ଯେ, ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନ ଚୀନରେ ତିଆରି ଲଢ଼ୁଆ ଜେଟ୍ ବ୍ୟବହାର କରିଥିଲା। ଏଥିରେ AVIC ଚେଙ୍ଗଦୁ ଦ୍ୱାରା ନିର୍ମିତ ଜେ-୧୦ ଲଢ଼ୁଆ ଜେଟ୍ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଏହି ସମୟ ମଧ୍ୟରେ ପାକିସ୍ତାନ ଦାବି କରିଥିଲା ଯେ, ଚୀନ୍ ଲଢ଼ୁଆ ଜେଟ୍ ଜେ-୧୦ ଭାରତୀୟ ସେନାର ଏକ ଏୟାରବେସ୍ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି। ଏହି ଖବର ପରେ AVIC ଚେଙ୍ଗଡୁର ସେୟାରରେ ତୀବ୍ର ବୃଦ୍ଧି ଘଟିଥିଲା।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ସମୟରେ ଅର୍ଥାତ୍ ଏପ୍ରିଲ ୩୦ ତାରିଖରୁ ମେ ୧୨ ତାରିଖ ମଧ୍ୟରେ ଏହାର ସେୟାରର ମୂଲ୍ୟ ୫୮.୭୫ ୟୁଆନ୍ ରୁ ୯୫.୮୬ ଚୀନ୍ ୟୁଆନ୍ କୁ ବୃଦ୍ଧି ପାଇଥିଲା, ଯାହା ମାତ୍ର ଦୁଇ ସପ୍ତାହ ମଧ୍ୟରେ ୬୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଦେଖାଉଛି। କିନ୍ତୁ ଭାରତ ପାକିସ୍ତାନର ଦାବିକୁ ମିଥ୍ୟା ବୋଲି ପ୍ରକାଶ କରିବା ପରେ ଏହାର ସେୟାର ୧୭ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।