ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ବିଧି ମୁତାବକ ଶ୍ରୀଜୀଉଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ । ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ଏହି ଗୁପ୍ତସେବା ସମ୍ପାଦନ କରାଯିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣରେ ଦର୍ଶନକୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦର୍ଶନ ବନ୍ଦ ହେବ। ତେବେ ଶ୍ରୀଜୀଉଙ୍କର ଶ୍ରୀମୁଖ ସିଂହାର ପାଇଁ ହିଙ୍ଗୁଳ, ଶଂଖ, କେଶର, କର୍ପୂର, କଇଁଥ, ଅଠା, କସ୍ତୁରୀ, କଜ୍ୱଳ, ହରିତାଳ ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ବନକକୁ ବ୍ୟବହାର କରାଯାଇଥାଏ। ବାହୁଡା ପରେ ଆଜି ପ୍ରଥମ ଥର ଲାଗି ମହାପ୍ରଭୁଙ୍କର ରତ୍ନବେଦୀରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ନୀତି ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ସମ୍ପାଦନ କରାଯାଇଥାଏ ।
Tags: