ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନରେ ବିଜେଡ଼ି ବାଜିମାତ୍ କରିଛି। ଏହି ଆସନରେ ପୂର୍ବତନ ବିଜେଡି ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଏହି ଆସନରୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜୟ ମହାପାତ୍ରଙ୍କୁ ୧୭,୯୨୦ ଭୋଟରେ ମାତ୍ ଦେଇଛନ୍ତି। ବିଜେପିର ପରାଜୟ ପରେ ବିଜୟ ମହାପାତ୍ର ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ପାଟକୁରା ନିର୍ବାଚନ ଫଳାଫଳ ନେଇ ବିଜୟ ମହାପାତ୍ର କହିଛନ୍ତି କି, ଫଳାଫଳ ଆଶ୍ଚର୍ଯ୍ୟ କରିଛି, ଲୋକମତ ମୋ ସପକ୍ଷରେ ଥିଲା। ଗଣତନ୍ତ୍ରରେ ଲୋକମତକୁ ସମ୍ମାନ ଦେବାକୁ ପଡିବ। ଲୋକଙ୍କ ରାୟକୁ ମାନିବାକୁ ପଡିବ। ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ ଅଛି। ସରକାର ପାଟକୁରାକୁ ଘେରାବନ୍ଦୀ କରି ରଖିଥିଲେ। ମନ୍ତ୍ରୀ, ନେତା ପାଟକୁରାରେ ଡେରା ପକେଇ ବସିଥିଲେ। କେବଳ ସେତିକୁ ନୁହେଁ ବିଜେଡି ନେତାମାନେ ଘରଘର ବୁଲି ଟଙ୍କା ବାଣ୍ଟୁଥିଲେ। ଭୋଟ କିଣିଥିଲେ। ଲୋକମତ ଭିନ୍ନ ଥିଲା, କଣ ପାଇଁ ଏପରି ହେଲା ତାହା ଅନୁଧ୍ୟାନ କରାଯିବା ଉଚିତ୍ । ଚର୍ଚ୍ଚା ଆଲୋଚନା କରାଯିବା ପରେ କାରଣ ଜଣାପଡିବ ବୋଲି ସେ କହିଛନ୍ତି।