
ସ୍ମାର୍ଟ ସିଟି ମିଶନ ସ୍ମାର୍ଟ, ପରିପୂରକ ସମାଧାନ ମାଧ୍ୟମରେ ଭାରତର ସହରଗୁଡ଼ିକରେ ଜୀବନ ଧାରଣର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି। ଏଥିପାଇଁ ଆର୍ଥିକ ଦୃଷ୍ଟିରୁ ସକ୍ରିୟ, ସମାବେଶୀ ଏବଂ ପରିବେଶ ଅନୁକୂଳ ସହର ସୃଷ୍ଟି କରିବା ପାଇଁ ଏହି ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହିକ୍ରମରେ ସହରାଞ୍ଚଳରେଭିତ୍ତିଭୂମି, ଶାସନ ଏବଂ ସାମାଜିକ ବିକାଶ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦେଇଛି ସ୍ମାର୍ଟସିଟି ମିଶନ।
ପ୍ରଥମ ପର୍ଯ୍ୟାୟରେ ୧୦୦ଟି ସହରରେ ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ ଜୁନ୍ ୨୫, ୨୦୨୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଯାହାଦ୍ୱାରାସହରାଞ୍ଚଳରେ ଦ୍ରୁତ ଗତିରେ ବଢ଼ୁଥିବା ଗୃହ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମନୋରଞ୍ଜନ ଭଳି ବିବିଧ ଆବଶ୍ୟକତାକୁ ପୂରଣ କରିବାକୁ ଉଦ୍ୟମ କରାଯାଇଥିଲା। ଏହି ସହରଗୁଡ଼ିକୁ ମଡେଲ ଭାବେ ଗ୍ରହଣ କରି ଅନ୍ୟ ଉଦୀୟମାନ ସହରପାଇଁ ଆଦର୍ଶ ହେବାକୁ ଲକ୍ଷ୍ୟ ରଖାଯାଇଛି।
୧୦୦ ଟି ସହର ଏହି ଲକ୍ଷ୍ୟକୁ ପରିଚାଳନା କରିବା ସହିତ, ସ୍ମାର୍ଟ ସିଟି ମିଶନ ଯଥେଷ୍ଟ ପ୍ରଗତି ହାସଲ କରିଛି। ୯ ମଇ, ୨୦୨୫ ସୁଦ୍ଧା, ମୋଟ ୭,୫୫୫ଟି ପ୍ରକଳ୍ପ ରୁ ମୋଟ ୮,୦୬୭ଟି ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ୍ ସମୁଦାୟ ପ୍ରକଳ୍ପର ୯୪% – ସମ୍ପୂର୍ଣ୍ଣ ହୋଇଛି, ଯାହାର ପରିମାଣ୧,୫୧,୩୬୧ କୋଟି ଟଙ୍କା। ଏହା ସହିତ, ୧୩,୦୪୩ କୋଟି ଟଙ୍କାର ୫୧୨ଟି ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସ୍ଥିତିରେ ପହଞ୍ଚିଛି। ସମୁଦାୟ ପ୍ରକଳ୍ପଗୁଡ଼ିକୁ ଦେଖିଲେ, ମୋଟ ୧.୬୪ ଲକ୍ଷ କୋଟି ଟଙ୍କା ବ୍ୟୟରେ ୮,୦୬୭ଟି ବହୁ-କ୍ଷେତ୍ରୀୟ ପ୍ରକଳ୍ପର କାର୍ଯ୍ୟାନ୍ୱୟକ ନରାଯାଇଛି।
ସ୍ମାର୍ଟ ସିଟି ମିଶନ ପାଇଁ ମୋଟ ଆବଣ୍ଟିତ କେନ୍ଦ୍ର ବଜେଟ୍ ଥିଲା ୪୭,୬୫୨ କୋଟି। ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା, ମିଶନରେ ଥିବା ୧୦୦ଟି ସହରକୁ ମୋଟ ବଜେଟ୍ ବ୍ୟୟବରାଦର ୯୯.୪୪% ପ୍ରଦାନ କରାଯାଇଛି। କେନ୍ଦ୍ରର ଅଂଶ, ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସରକାରୀ-ଘରୋଇ ସହଭାଗୀତା ଦ୍ୱାରା ମିଶନର ମୋଟ ନିବେଶ୧.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଏହି ମିଶନର ଆଭିମୁଖ୍ୟ
ସ୍ମାର୍ଟ ସିଟି ମିଶନର କାର୍ଯ୍ୟାନ୍ୱୟନ ମୁଖ୍ୟତଃ ଦୁଇଟି ପ୍ରମୁଖ ପଦ୍ଧତି ଅନୁସରଣ କରେ। ପ୍ରଥମତଃ, ସ୍ମାର୍ଟ ସିଟି ମିଶନ ଅଧୀନରେ, ସହରଗୁଡ଼ିକୁ ଏକ କ୍ଷେତ୍ର-ଭିତ୍ତିକ ବିକାଶ ପଦ୍ଧତି ବ୍ୟବହାର କରି ବିକଶିତ କରାଯାଉଛି, ଯେଉଁଠାରେ ୧୦୦ଟି ସହରର ବିକାଶକୁ ଧ୍ୟାନ ଦିଆଯାଇଛି। ନାଗରିକ ଅଂଶଗ୍ରହଣ ମାଧ୍ୟମରେ ଚୟନ କରାଯାଇଥିବା କ୍ଷେତ୍ରଗୁଡ଼ିକୁ ସହରର ଅନ୍ୟ ଅଂଶ ପାଇଁ ପ୍ରତିକୃତିଯୋଗ୍ୟ ମଡେଲ ଭାବରେ ବିକଶିତ କରାଯାଉଛି।
ଦ୍ଵିତୀୟତଃ, ପ୍ରତ୍ୟେକ ସହରରେ ପାନ୍-ସିଟି ପ୍ରକଳ୍ପ କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯାହାଦ୍ୱାରା ଭିତ୍ତିଭୂମିସେବାଗୁଡ଼ିକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତିବିଦ୍ୟା-ଚାଳିତ ସମାଧାନ ବ୍ୟବହାର କରାଯାଉଛି। ଉଦାହରଣ ସ୍ୱରୂପ, ଚଣ୍ଡିଗଡ଼ ୩୧୦ ଡକିଂ ଷ୍ଟେସନ ଏବଂ ୨୫୦୦ ରୁ ଅଧିକ ସାଇକେଲ ପ୍ରବର୍ତ୍ତନ କରିଛି। ଏହାସହ ସହର ସାରା ପବ୍ଲିକ୍ ବାଇସାଇକେଲ୍ ସେୟାରିଂବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ଏହି ବ୍ୟବସ୍ଥା ଟ୍ରାଫିକ୍ ଭିଡ଼ ହ୍ରାସ ଏବଂ ଜନସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ଅବଦାନ ରଖେ।
ମିଶନର ଅନ୍ୟ ପ୍ରମୁଖ ଦିଗଗୁଡ଼ିକ ମଧ୍ୟରେ କାର୍ଯ୍ୟକ୍ରମ ରୂପାୟନ ପାଇଁ ଏକ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ବ୍ୟବସ୍ଥା ସୃଷ୍ଟି କରିବା, ପ୍ରକଳ୍ପ ପାଇଁ ପାଣ୍ଠିର ବହୁବିଧ ଉତ୍ସକୁ ପ୍ରୋତ୍ସାହିତ କରିବା ଏବଂ ନାଗରିକମାନଙ୍କୁ ସାମିଲ କରିବା ଆଦି ଅନ୍ତର୍ଭୁକ୍ତ।
ମିଶନର ପ୍ରମୁଖ ସଫଳତା
୯ମଇ, ୨୦୨୫ ସୁଦ୍ଧା, ମୋଟ ୮୦୬୭ ପ୍ରକଳ୍ପ ମଧ୍ୟରୁ ୯୪% ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଛି, ଯାହା ସମଗ୍ର ଭାରତରେ ସହରାଞ୍ଚଳ ପରିପାଟିକୁ ପୁନଃଆକୃତି ଦେବାରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ପ୍ରତିଫଳିତ କରେ।
ସ୍ମାର୍ଟ ସିଟି ମିଶନ ଦ୍ୱାରା ହାସଲ କରାଯାଇଥିବା କିଛି ପ୍ରମୁଖ ପଦକ୍ଷେପ ଏବଂ ମାଇଲଖୁଣ୍ଟ ନିମ୍ନରେ ଦିଆଯାଇଛି (ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା)
ସମନ୍ବିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ICCC):ସମସ୍ତ ୧୦୦ ସ୍ମାର୍ଟ ସିଟିରେ କାର୍ଯ୍ୟକ୍ଷମ ICCC ରହିଛି, ଯାହା ମହାମାରୀ ସମୟରେ ଯୁଦ୍ଧ ପ୍ରସ୍ତୁତି କୋଠରୀ ( ଓ୍ୱାର ରୁମ୍) ଭାବରେ ମଧ୍ୟ କାର୍ଯ୍ୟ କରିଥିଲା ଏବଂ ଏଆଇ, ଆଇଓଟିଏବଂ ଡାଟା ଆନାଲିଟିକ୍ସ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରି ପରିବହନ, ଜଳ ଯୋଗାଣ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସହର କାର୍ଯ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣିଛି।
ସାର୍ବଜନୀନ ନିରାପତ୍ତା: ଅପରାଧ ତଦାରଖରେ ସହାୟତା ପାଇଁ୧୦୦ ସ୍ମାର୍ଟ ସିଟିରେ ୮୪ ହଜାରରୁ ଅଧିକ ସିସିଟିଭି ନିରୀକ୍ଷଣ କ୍ୟାମେରା ସ୍ଥାପନ କରାଯାଇଛି। ଏହା ସହିତ, ୧୮୮୪ ଜରୁରୀକାଳୀନ କଲ୍ ବାକ୍ସ, ୩ ହଜାର ସାର୍ବଜନୀନ ଠିକଣା ପ୍ରଣାଳୀ, ଏବଂ ରେଡ ଲାଇଟ୍ ଉଲ୍ଲଂଘନ ଏବଂ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ପାଇଁ ଟ୍ରାଫିକ୍ ପ୍ରବର୍ତ୍ତନ ପ୍ରଣାଳୀ ସ୍ଥାପନ କରାଯାଇଛି, ଯାହା ସାର୍ବଜନୀନ ସୁରକ୍ଷାକୁ ବୃଦ୍ଧି କରିଛି।
ପାଣି ଯୋଗାଣ:ପ୍ରତିଦିନ ୨୮ ସହରରେ୨୯୦୦ନିୟୁତ ଲିଟରରୁ ଅଧିକ ପାନୀୟ ଜଳ ବିଶୋଧନ କ୍ଷମତା ବିକଶିତ କରାଯାଇଛି। ଏସ୍ସିଏଡିଏମାଧ୍ୟମରେ ୧୭,୦୨୬ କିଲୋମିଟରରୁ ଅଧିକ ଜଳ ଯୋଗାଣ ବ୍ୟବସ୍ଥାର ତଦାରଖ କରାଯାଉଛି, ଯାହା ରାଜସ୍ୱ ନ ଥିବା ଜଳ ଏବଂ ଲିକେଜ୍ ହ୍ରାସ କରୁଛି।
ସାର୍ବଜନୀନ ସ୍ଥାନ: ୮୪ଟି ସ୍ମାର୍ଟ ସହରରେ ସାର୍ବଜନୀନ ସ୍ଥାନ ଉପରେ ୧,୩୨୦ରୁ ଅଧିକ ପ୍ରକଳ୍ପ ବିକଶିତ ହୋଇଛି, ଯେଉଁଥିରେ ୬୨ଟି ସ୍ମାର୍ଟ ସହର ଦ୍ୱାରା ୩୧୮ କିଲୋମିଟର ନଦୀଶଯ୍ୟା ବିକାଶ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ୫୫ଟି ସ୍ମାର୍ଟ ସହର ୪୮୪ଟି ଐତିହ୍ୟ ସ୍ମାରକୀର ସଂରକ୍ଷଣ ହୋଇଥିବା ବେଳେ ୫୮ଟି ସହରରେ ବଜାର ପୁନଃବିକାଶ ପ୍ରକଳ୍ପ ହାତକୁ ନିଆଯାଇଛି।
ସ୍ୱେରେଜ: ୨୭ଟି ସହର ୧,୩୭୦ ଏମଏଲଡି ବର୍ଜ୍ୟଜଳ ବିଶୋଧନ କ୍ଷମତା ସୃଷ୍ଟି କରାଯାଇଛି, ଯାହା ମଧ୍ୟରୁ ୬୭୩ ଏମଏଲଡି ବିଭିନ୍ନ ଉଦ୍ଦେଶ୍ୟରେ ବଗିଚା, ଶିଳ୍ପ ବ୍ୟବହାର, ଇତ୍ୟାଦି ପାଇଁ ପୁନଃବ୍ୟବହୃତ ହେଉଛି।
କଠିନ ବର୍ଜ୍ୟବସ୍ତୁ ପରିଚାଳନା: ୬୬ଟିରୁ ଅଧିକ ସହର ପ୍ରଯୁକ୍ତିବିଦ୍ୟା ବ୍ୟବହାର ବୃଦ୍ଧି, ରୁଟ୍ ପରିଚାଳନା, ସଂଗ୍ରହଦକ୍ଷତା ଏବଂ ଦୈନନ୍ଦିନ ପରିଚାଳନା ଦ୍ୱାରା କଠିନ ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତାକୁ ଡିଜିଟାଇଜ୍ ଏବଂ ଉନ୍ନତ କରିବା ପାଇଁ ପ୍ରାୟ ୯,୧୯୪ଟି ଯାନକୁ ସ୍ୱୟଂଚାଳିତ ଯାନ ସ୍ଥାନ ପାଇଁ ଆରଏଫ୍ଆଇଡି-ସକ୍ଷମ କରାଯାଇଛି।
ଯାତାୟାତ: ୧୭୪୦ କିଲୋମିଟରରୁ ଅଧିକ ସ୍ମାର୍ଟ ରାସ୍ତା ନିର୍ମାଣ ବା ବିକଶିତ କରାଯାଇଛି, ଏବଂ ୭୧୩ କିଲୋମିଟର ସାଇକେଲ ଟ୍ରାକ ବିକଶିତ କରାଯାଇଛି। ପ୍ରାୟ ୨୩,୦୦୦ ସାଇକେଲ ଏବଂ ୧୫୦୦ ରୁ ଅଧିକ ବସ୍ କିଣାଯାଇଛି ଏବଂ ୨୦୦୦ ରୁ ଅଧିକବସ୍ ଷ୍ଟପ୍ ବିକଶିତ ହୋଇଛି। ଆର୍ଥିକ ବର୍ଷ ୨୦୪-୨୫ରେ ୧୭୭ ଟି ସ୍ମାର୍ଟ ମୋବିଲିଟି ପ୍ରକଳ୍ପ ରୂପାୟନ କରାଯାଇଛି। ଏହା ବ୍ୟତୀତ, ଏକ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (ITMS) କାର୍ଯ୍ୟକାରୀ କରାଯାଇଛି ଏବଂ ICCC ମାଧ୍ୟମରେ ଏହାକୁ ତଦାରଖ କରାଯାଉଛି, ଯାହା ଟ୍ରାଫିକ୍ କାର୍ଯ୍ୟକୁ ଉନ୍ନତ କରୁଛି, ଟ୍ରାଫିକ୍ ଉଲ୍ଲଂଘନକୁ ଲାଗୁ କରୁଛି ଏବଂ ଯାତ୍ରା ସମୟ ହ୍ରାସ କରୁଛି।
ଶିକ୍ଷା: ୭୧ ଟି ସ୍ମାର୍ଟ ସିଟିର ୨୩୦୦ ଟି ସରକାରୀ ସ୍କୁଲରେ ୯୪୩୩ ଟି ସ୍ମାର୍ଟ ଶ୍ରେଣୀଗୃହ ବିକଶିତ ହୋଇଛି। ଏହା ବ୍ୟତୀତ, ୪୧ ଟି ଡିଜିଟାଲ୍ ଲାଇବ୍ରେରୀ ମଧ୍ୟ ବିକଶିତ ହୋଇଛି।
ସ୍ୱାସ୍ଥ୍ୟ: ୧୭୨ଟି ଇ-ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କ୍ଲିନିକ୍ (ନିର୍ଦ୍ଦିଷ୍ଟ ଶଯ୍ୟା ବିନା) ବିକଶିତ ହୋଇଛି, ଏବଂ ୧୫୨ଟି ସ୍ୱାସ୍ଥ୍ୟ ଏଟିଏମ୍ମଧ୍ୟ ସ୍ଥାପିତ ହୋଇଛି। ୧୫ ଟି ସହର ଇ-ସ୍ୱାସ୍ଥ୍ୟ ରେକର୍ଡ ରଖିବା ବ୍ୟବସ୍ଥା ବିକଶିତ କରିଛି।
ଉଦୀୟମାନ ଆବଶ୍ୟକତାକୁ ଗ୍ରହଣ କରିବା ଏବଂ ସମସ୍ୟାକୁ ଦୂର କରିବା
ମୂଳ ପଦକ୍ଷେପ ବ୍ୟତୀତ, ସ୍ମାର୍ଟ ସିଟି ମିଶନ ଉଦୀୟମାନ ଚ୍ୟାଲେଞ୍ଜଗୁଡ଼ିକର ପ୍ରତିକ୍ରିୟାରେ ପ୍ରକଳ୍ପ ଆରମ୍ଭ କରିଛି। ଉଦାହରଣ ସ୍ୱରୂପ, କୋଭିଡ୍-୧୯ ମହାମାରୀ ପରେ, ସକ୍ରିୟ ଜୀବନଯାପନ ପାଇଁ ଖୋଲା ସ୍ଥାନକୁ ପ୍ରୋତ୍ସାହିତ କରିବା ପାଇଁ ‘ସାଇକେଲ ଫର ଚେଞ୍ଜ’ ଏବଂ ‘ଷ୍ଟ୍ରିଟ୍ସ ଫର ପିପୁଲ’ ଭଳି ଅଭିଯାନ ଆରମ୍ଭ କରାଯାଇଥିଲା। ସାର୍ବଜନୀନ ସ୍ଥାନଗୁଡ଼ିକରେ ଅନ୍ତର୍ଭୁକ୍ତ ପ୍ରବେଶ ସୁନିଶ୍ଚିତ କରିବା ପାଇଁ, ‘ପ୍ଲେସମେକିଂ ମାରାଥନ’ ଏବଂ ‘ନର୍ଚରିଂ ନେବରହୁଡ୍ସ ଚ୍ୟାଲେଞ୍ଜ’ ଭଳି ପଦକ୍ଷେପଗୁଡ଼ିକ ଦୁର୍ବଳ ଗୋଷ୍ଠୀଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ‘ଟ୍ରାନ୍ସପୋର୍ଟ ଫର ଅଲ’ ଏବଂ ‘ଇଟସ୍ମାର୍ଟ ସିଟି’ ଭଳି ଅନ୍ୟାନ୍ୟ ଚ୍ୟାଲେଞ୍ଜଗୁଡ଼ିକ ସାର୍ବଜନୀନ ପରିବହନ ଷ୍ଟାର୍ଟଅପ୍ଗୁଡ଼ିକୁ ସମର୍ଥନ କରିବା ଏବଂ ସ୍ମାର୍ଟ ସିଟିଗୁଡ଼ିକରେ ଖାଦ୍ୟ ସ୍ୱଚ୍ଛତା ଉନ୍ନତ କରିବା ଲକ୍ଷ୍ୟ ରଖିଛି।
ସ୍ମାର୍ଟ ସିଟି ମିଶନ ପାଇଁ ରଣନୀତି
ସ୍ମାର୍ଟ ସିଟି ମିଶନ ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରିବା ସହ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଆର୍ଥିକ ଅଭିବୃଦ୍ଧି ଓ ଜୀବନର ଗୁଣବତ୍ତା ବୃଦ୍ଧି କରିବାକୁ ଚାହୁଁଛି। ଏହି ପଦ୍ଧତିରେ ପୁନଃନିର୍ମାଣ ଏବଂ ପୁନଃବିକାଶ ମାଧ୍ୟମରେ ବିଦ୍ୟମାନ କ୍ଷେତ୍ରଗୁଡ଼ିକୁ ପରିବର୍ତ୍ତନ କରିବ, ଗ୍ରୀନଫିଲ୍ଡ ପ୍ରକଳ୍ପ ମାଧ୍ୟମରେ ନୂତନ କ୍ଷେତ୍ର ବିକାଶ କରିବା ଏବଂ ପାନ୍-ସିଟି ପଦକ୍ଷେପ ଦ୍ୱାରା ସହର ସାରା ସ୍ମାର୍ଟ ସମାଧାନ କାର୍ଯ୍ୟକାରୀ କରିବା ପ୍ରଭୃତି ଅନ୍ତର୍ଭୁକ୍ତ। ଉତ୍ତର-ପୂର୍ବ ଏବଂ ହିମାଳୟ ରାଜ୍ୟଗୁଡ଼ିକରେ, ବିକାଶ କ୍ଷେତ୍ର ଆବଶ୍ୟକତା ଅଧା ହ୍ରାସ ପାଇଛି।
ସ୍ମାର୍ଟ ସିଟିମାନଙ୍କ ସଫଳତାର କାହାଣୀ
ବିଶାଖାପାଟଣା
ସୌରଶକ୍ତି ସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍: ବିଶାଖାପାଟଣା ସ୍ମାର୍ଟ ସିଟି ୩୮୦ଟି ଷ୍ଟାଣ୍ଡଆଲୋନ୍ ସୌର ଶକ୍ତି ସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍ (୪୪W ପ୍ରତ୍ୟେକ) ଏବଂ ୨୦୦ ସୌର ପୋଷ୍ଟ ଲାଇଟ୍ (୨୫W ପ୍ରତ୍ୟେକ) ସ୍ଥାପନ କରିଛି, ଯାହା ୫ କିଲୋମିଟର ବେଳାଭୂମି ଏବଂ ଏବିଡିଜୋନ୍ ଭଳି ପ୍ରମୁଖ ଅଞ୍ଚଳକୁ ଆଲୋକିତ କରିଛି। ଏହି ପଦକ୍ଷେପ ଦ୍ୱାରା ବାର୍ଷିକ ୧୮୯.୪ MWh ସ୍ୱଚ୍ଛ ଶକ୍ତି ଉତ୍ପାଦନ ହେଉଛି। ୨୪୨ ଟନ୍ କାର୍ବନ ନିର୍ଗମନ ହ୍ରାସ କରାଯିବା ସହ ପ୍ରତିବର୍ଷ ୧୨ ଲକ୍ଷ ଟଙ୍କା ବିଦ୍ୟୁତ୍ ଖର୍ଚ୍ଚ ସଞ୍ଚୟ କରାଯାଉଛି ।
ସକ୍ଷମ ପାର୍କ: ବିଶାଖାପାଟଣାର “ସକ୍ଷମ ପାର୍କ’’ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ହ୍ୱିଲଚେୟାର-ଅନୁକୂଳ ପଥ, ରାମ୍ପ ଏବଂ ସେନ୍ସରୀ ପ୍ଲେ ଜୋନ୍ ସହିତ ଏକ ଅନ୍ତର୍ଭୁକ୍ତ ସ୍ଥାନ ପ୍ରଦାନ କରେ। ଏହାର ସୁଗମ ଡିଜାଇନ୍ ସାର୍ବଜନୀନ ସ୍ଥାନର ସମାନ ବ୍ୟବହାରକୁ ପ୍ରୋତ୍ସାହିତ କରେ ଏବଂ ଅନ୍ୟ ସହରଗୁଡ଼ିକ ପାଇଁ ଅନୁସରଣ କରିବା ପାଇଁ ଏକ ମଡେଲ୍ ସ୍ଥାପନ କରେ।
ଉଦୟପୁର
କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା: ଉଦୟପୁରରେଏକ ୨୦ ଟିପିଡି ବାୟୋମିଥାନାସନ୍ ପ୍ଲାଣ୍ଟ ଏବଂ ୩୦ ଟିପିଡି ଓଦା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସହିତ ୪୯ଟି ଅଟୋ-ଟିପର୍ ପ୍ରଚଳନ କରାଯାଇଛି ଏବଂ ଏକ ୨୦-ଟନ୍ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ସ୍ଥାନାନ୍ତର ଷ୍ଟେସନ ନିର୍ମାଣ ହୋଇଛି। ଏହି ପଦକ୍ଷେପ ଦ୍ୱାରା ୩୨୮୩୦ ବର୍ଗ ମିଟର ଜମି ପୁନଃକ୍ଷମ ହୋଇପାରିଛି। କମ୍ପୋଷ୍ଟ ଏବଂ ବାୟୋଗ୍ୟାସ୍ ଉତ୍ପାଦନ ସକ୍ଷମ ହୋଇଛି। ଇନ୍ଧନ ଏବଂ ପରିବହନ ଖର୍ଚ୍ଚ ହ୍ରାସ ହେବାରୁ ସହରକୁ ବର୍ଜ୍ୟବସ୍ତୁ ପରିଚାଳନାରେ ଆତ୍ମନିରନ୍ତରତା ଆଡ଼କୁ ଗତି କରିବାରେ ସାହାଯ୍ୟ କରିଥିଲା।
ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (STPs): ହାଇବ୍ରିଡ୍ ଆନୁଇଟି ମଡେଲ୍ ଅଧୀନରେ ଉନ୍ନତ ଏସ୍ବିଆର ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱୟଂଚାଳିତ ସିଷ୍ଟମ୍ ବ୍ୟବହାର କରି ୮୦ କୋଟି ମୂଲ୍ୟର ୨୫, ୧୦, ଏବଂ ୫ ମେଗାଲିଟର ପ୍ରତି ଦିନ (MLD) କ୍ଷମତା ବିଶିଷ୍ଟ ତିନୋଟି ନୂତନ ଏସ୍ଟିପି ନିର୍ମାଣ କରାଯାଇଛି। ଏହି ପ୍ଲାଣ୍ଟଗୁଡ଼ିକ ରୋଗ ସଂକ୍ରମଣ ହ୍ରାସ କରିବାରେ, କୃଷି ପୁନଃବ୍ୟବହାର ସକ୍ଷମ କରିବାରେ ଏବଂ ପୁନଃଚକ୍ରଣ ମାଧ୍ୟମରେ ପରିବେଶ ପ୍ରତି ସହାୟକ ହେଉଛି।
କାକିନାଡ଼ା
ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ICCC): କାକିନାଡ଼ାର ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ICCC) ୩୪ ଟି ଡିଜିଟାଲ୍ ବୋର୍ଡ, ଅନୁକୂଳନ ସିଗନାଲ ଏବଂ ସ୍ମାର୍ଟ ପୋଲ ବ୍ୟବହାର କରି ଟ୍ରାଫିକ୍, ବାୟୁ ଗୁଣବତ୍ତା ଏବଂ ସାର୍ବଜନୀନ ସେବାର ବାସ୍ତବ-ସମୟ ମନିଟରିଂ ମାଧ୍ୟମରେ ସହରାଞ୍ଚଳ ଶାସନକୁ ବୃଦ୍ଧି କରିଛି।
ଆଇଆଇଏଫ୍ଟି କାକିନାଡା: ଭାରତର ତୃତୀୟ ଭାରତୀୟ ବିଦେଶୀ ବାଣିଜ୍ୟ ପ୍ରତିଷ୍ଠାନ (ଆଇଆଇଏଫ୍ଟି) କୋଲକାତା ଏବଂ ଦିଲ୍ଲୀ ପରେ କାକିନାଡାରେ ନିର୍ମାଣ କରାଯାଉଛି। ନିର୍ମାଣ ଏବଂ ଶେଷ କାର୍ଯ୍ୟ ଫେବୃଆରୀ ୨୦୨୫ ସୁଦ୍ଧା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି।
ସୋଲାପୁର
ଇ–ଟଏଲେଟ୍: ଖୋଲା ମଳତ୍ୟାଗର ଅଭ୍ୟାସକୁ ଦୂର କରିବା ପାଇଁ, ସୋଲାପୁର ସ୍ମାର୍ଟ ସିଟି ସାରା ସହରରେ ଇ-ଟଏଲେଟ୍ ସ୍ଥାପନ କରିଛି। ଏକ ଇ-ଟଏଲେଟ୍ ବ୍ୟବହାର ସ୍ୱୟଂ-ସଫା କରିବା ଭଳି ଇଲେକ୍ଟ୍ରୋନିକ୍ ଏବଂ ସ୍ୱୟଂଚାଳିତ ବୈଶିଷ୍ଟ୍ୟଗୁଡ଼ିକୁ ବ୍ୟବହାର କରେ, ଏବଂ ପ୍ରାୟତଃ ସ୍ୱୟଂଚାଳିତ ପ୍ରବେଶ ନିୟନ୍ତ୍ରଣ, ସେନ୍ସର-ଆଧାରିତ ଜଳ ଏବଂ ବିଦ୍ୟୁତ ସଂରକ୍ଷଣ, ଏବଂ ଦୂରବର୍ତ୍ତୀ ମନିଟରିଂ କ୍ଷମତା ଭଳି ବୈଶିଷ୍ଟ୍ୟଗୁଡ଼ିକୁ ଅନ୍ତର୍ଭୁକ୍ତ କରେ।
ଇନ୍ଦିରା ଗାନ୍ଧୀ ଷ୍ଟାଡିୟମର ପୁନଃବିକାଶ: ସୋଲାପୁରର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମର ପୁନଃବିକାଶ ୨୪ କୋଟି ଟଙ୍କା ଖର୍ଚ୍ଚରେ ସମାପ୍ତ ହୋଇଛି। ଏଥିରେ ୧୧ଟି ମୁଖ୍ୟ ପିଚ୍, ୬ଟି ଅଭ୍ୟାସ ପିଚ୍, ଆଧୁନିକ ଡ୍ରେନେଜ୍, ଏବଂ ଉନ୍ନତ ପାଭିଲିୟନ୍ ଏବଂ ମିଡିଆ ସୁବିଧା ସହିତ ୨.୩୬ ଲକ୍ଷ ବର୍ଗଫୁଟ ସ୍ଥାନକୁ ରୂପାନ୍ତରଣ କରାଯାଇଛି, ଯାହା ଫଳରେ ଏହା ରଣଜୀ ଟ୍ରଫି, କୁଚ୍ ବିହାର ଟ୍ରଫି ଏବଂ ୧୯ ବର୍ଷରୁ କମ୍ ମହିଳା ମ୍ୟାଚ୍ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିବ।
କୋଏମ୍ବାଟୁର
ସ୍ୱଚ୍ଛ ଶକ୍ତି: କୋଏମ୍ବାଟୁର ୯୭,୦୦୦ ରୁ ଅଧିକ ଷ୍ଟ୍ରିଟ୍ ଲାଇଟ୍କୁ ଏଲ୍ଇଡି ଲାଇଟ୍ରରେ ବଦଳାଯାଇଛି ଏବଂ ୮ ମେଗାୱାଟରୁ ଅଧିକ ଉତ୍ପାଦନ କରୁଥିବା ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯାଇଛି, ଯାହାଦ୍ୱାରା ବାର୍ଷିକ ପ୍ରାୟ ୧.୫ କୋଟି KWhଶକ୍ତି ସଞ୍ଚୟ ହୋଇଛି ଏବଂ ୯.୬୭ କୋଟି ଖର୍ଚ୍ଚ ସଞ୍ଚୟ ହୋଇଛି। ସହର ପୌର ପରିଚାଳନା ପାଇଁ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରେ ଏବଂ ସହରାଞ୍ଚଳ ଗରିବ ପରିବାରକୁ ୧୦୦ KWhପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପ୍ରଦାନ କରେ।
୭ ହ୍ରଦର ପୁନରୁଦ୍ଧାର: କୋଏମ୍ବାଟୁର ସାତୋଟି ପ୍ରଦୂଷିତ ଏବଂ ଜବରଦଖଲ ହୋଇଥିବା ହ୍ରଦକୁ ପୁନରୁଦ୍ଧାର କରିଛି, ୨୮ ଏକର ଜମିକୁ ପୁନରୁଦ୍ଧାର କରିଛି ଏବଂ ଆମ୍ଫିଥିଏଟର, ଜଳକ୍ରୀଡା, ପକ୍ଷୀ ଦେଖିବା ଏବଂ ଏନ୍ଏମ୍ଟି କରିଡର ମାଧ୍ୟମରେ ବନ୍ୟା ସ୍ଥିରତା, ପରିବେଶଗତ ସନ୍ତୁଳନ ଏବଂ ସାର୍ବଜନୀନ ମନୋରଞ୍ଜନକୁ ବୃଦ୍ଧି କରିଛି। ଏହି ପ୍ରକଳ୍ପ ଦ୍ୱାରା ପ୍ରତି ମୁଣ୍ଡପିଛା ସାର୍ବଜନୀନ ସ୍ଥାନକୁ ୨.୧୭ ବର୍ଗ ମିଟରରୁ ୪.୯ ବର୍ଗ ମିଟରକୁ ଉନ୍ନତ କରାଯାଇଛି ଏବଂ ୭୬୮୦ ପରିବାରକୁ ପୁନର୍ବାସ କରାଯାଇଛି।
ସ୍ମାର୍ଟ ସିଟି ମିଶନ ସାରା ଭାରତରେ ସହରଗୁଡ଼ିକୁ ଉନ୍ନତ କରିବାରେ ବହୁତ ଅଗ୍ରଗତି କରିଛି। ସ୍ମାର୍ଟ ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ ସମାଧାନ ଏବଂ ସକ୍ରିୟ ସମ୍ପ୍ରଦାୟ ପ୍ରଚାର ମାଧ୍ୟମରେ ସତେ ଯେପରି, ମିଶନ୍ ଭିତ୍ତିଭୂମି, ସାର୍ବଜନୀନ ସୁରକ୍ଷା, ଗତିଶୀଳତା, ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟସେବା ବୃଦ୍ଧି କରିଛି। ଏହା ସହିତ, ଏହା ‘ସାଇକେଲ୍ସ ଫର ଚେଞ୍ଜ’ ଏବଂ ‘ଷ୍ଟ୍ରିଟ୍ସ ଫର ପିପୁଲ’ ଭଳି ପଦକ୍ଷେପ ମାଧ୍ୟମରେ ଖୋଲା ସ୍ଥାନ ଏବଂ ସୁରକ୍ଷିତ ପରିବହନକୁ ପ୍ରୋତ୍ସାହିତ କରିବା ଭଳି ନୂତନ ଚ୍ୟାଲେଞ୍ଜ ସହିତ ଖାପ ଖୁଆଇଛି। ମିଶନ୍ ଆଗକୁ ବଢ଼ିବା ସହିତ, ଏହା ସ୍ମାର୍ଟ, ଅଧିକ ବାସଯୋଗ୍ୟ ସହର ନିର୍ମାଣ ଦିଗରେ କାର୍ଯ୍ୟ ଜାରି ରଖିଛି ଯାହା ଅନ୍ୟମାନଙ୍କ ପାଇଁ ଅନୁସରଣ କରିବା ପାଇଁ ଉଦାହରଣ ହୋଇପାରିବ।