ନୂଆଦିଲ୍ଲୀ: ନିଜ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ବିଜେପି ନେତା ଏବଂ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତେଶ ରାଣେ ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସୂଚନା ଅନୁଯାୟୀ, ରାଣେ କହିଛନ୍ତି ଯେ ଗୋଲ ଟୋପି ଏବଂ ଦାଢ଼ି ଥିବା ଲୋକମାନେ ମୋତେ ଭୋଟ ଦେଇ ନାହାଁନ୍ତି। ମୁଁ ହିନ୍ଦୁଙ୍କ ଭୋଟରେ ବିଧାୟକ ହୋଇଛି। ଯଦି ମୁଁ ହିନ୍ଦୁଙ୍କୁ ସମର୍ଥନ କରିବି ନାହିଁ, ତେବେ ମୁଁ କ’ଣ ଉର୍ଦ୍ଦୁ କହୁଥିବା ଲୋକଙ୍କୁ ସମର୍ଥନ କରିବି?
କଣକବଲି ବିଧାୟକ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନିତେଶ ରାଣେ କହିଛନ୍ତି ଯେ, “ସମସ୍ତ ମୁସଲମାନ ସବୁଜ ସାପ, ମୁମ୍ବାଇର DNA ହେଉଛି ହିନ୍ଦୁ। ମୁଁ ସବୁବେଳେ ହିନ୍ଦୁମାନଙ୍କୁ ସମର୍ଥନ କରିବି।” ନିତେଶ ରାଣେଙ୍କ ବଡ଼ ଭାଇ ନିଲେଶ ରାଣେ ସିନ୍ଦେ ଗୋଷ୍ଠୀର ଶିବସେନାର ବିଧାୟକ।
ସେ କହିଛନ୍ତି ଯେ, ”ଆମ ପ୍ରତି କେତେ ଅପମାନ କରାଯାଇଛି, ଆମ ମଧ୍ୟରୁ କେତେ ଜଣ ଆମ ନାମରେ ଲେମ୍ବୁ କାଟିଛନ୍ତି, ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ।”
କଂଗ୍ରେସର ଟାର୍ଗେଟ୍
ବିରୋଧୀ ଦଳ ରାଣେଙ୍କ ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ବିଧାୟକ ନାନା ପଟୋଲେ କହିଛନ୍ତି ଯେ, ନୀତେଶ ରାଣେ ଏକ ସାମ୍ବିଧାନିକ ପଦବୀରେ ଅଛନ୍ତି, ସେ ସମ୍ବିଧାନର ଶପଥ ନେଇଛନ୍ତି ଏବଂ ଶପଥ ନେବା ପରେ ସେ ମନ୍ତ୍ରୀ ପଦରେ ବସି ଏପରି କଥା କହୁଛନ୍ତି, କୌଣସି ଗୋଟିଏ ଧର୍ମ ପ୍ରତି ଏପରି ବିଚାରଧାରା ରଖିବା ବହୁତ ଭୁଲ।
ଆବୁ ଆଜମୀ କ୍ଷୁବ୍ଧ:
ସମାଜବାଦୀ ପାର୍ଟି ବିଧାୟକ ଆବୁ ଆଜମୀ କହିଛନ୍ତି ଯେ, ଉର୍ଦ୍ଦୁ ଏହି ଦେଶର ଭାଷା। ଯଦି ଆପଣ ପୁରୁଣା ଦଲିଲଗୁଡ଼ିକୁ ଦେଖନ୍ତି, ତେବେ ସମସ୍ତ ଜମି କାଗଜପତ୍ର ଉର୍ଦ୍ଦୁରେ ମିଳିବ। ମୁଁ ଗତକାଲି ମଧ୍ୟ କହିଥିଲି ଯେ, ଗାନ୍ଧୀଜୀଙ୍କ ହତ୍ୟାର ଏଫଆଇଆର ମଧ୍ୟ ଉର୍ଦ୍ଦୁରେ ଲେଖାଯାଇଥିଲା। ସ୍ୱାଧୀନତା ପୂର୍ବରୁ ଉର୍ଦ୍ଦୁ ଏହି ଦେଶର ଭାଷା ହୋଇଆସିଛି ଏବଂ ଏଠାରେ ଜନ୍ମ ହୋଇଥିଲା। ଏହା ବାହାରୁ ଆସିନଥିଲା।