ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଠାରୁ ବିଜେପି ନେତା ବିଜୟ ମହାପାତ୍ରଙ୍କ ପରାଜୟ ବରଣ କରିଛନ୍ତି। ପରାଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜୟ। ଏପରିକି ନବୀନଙ୍କ କିଲ୍ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି ବୋଲି ସେ କହିଛନ୍ତି। ଏକ ଗଣମାଧ୍ୟମକୁ ବିଜୟ କହିଛନ୍ତି ଯେ, ସେ ପୂର୍ବରୁ ଏପରି ନିର୍ବାଚନ କେବେ ଦେଖି ନଥିଲେ। ଆଗକୁ ମଧ୍ୟ ଏପରି କେବେ ଦେଖିବେ ନାହିଁ। ପାଟକୁରାରୁ ଏପରି ଘେରାବନ୍ଦୀ କରି ରଖାଗଲା ଯେମିତି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି। କିଲ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି। ଏଥିପାଇଁ ତାଙ୍କୁ ଅଭିନନ୍ଦନ। ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ହୋଇଥିଲେ ଫଳ ଅଲଗା ହୋଇଥାନ୍ତା। ଜାଣିଶୁଣି ଏହାକୁ ବିଳମ୍ବ କରାଗଲା। ଏଥିପାଇଁ ତାଙ୍କୁ ଅଭିନନ୍ଦନ ବୋଲି ବିଜୟ କହିଛନ୍ତି। ବିଜୟ ଆହୁରି କହିଛନ୍ତି, ରାଜନୀତିରେ ସମସ୍ତଙ୍କ ପାଇଁ ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ପଡିଥାଏ। ତାଙ୍କ ପାଇଁ ଏହି ପୂର୍ଣ୍ଣଚ୍ଛେଦର ସମୟ ଆସିବ ଏବଂ ମୋ ପାଇଁ ମଧ୍ୟ ଆସିବ। ତାଙ୍କ ପୂର୍ଣ୍ଣଚ୍ଛେଦ ବେଳେ ମୁଁ ଥିବି ହେଲେ ମୋ ପୂର୍ଣ୍ଣଚ୍ଛେଦରେ ସେ ନଥିବେ। ରାଜନୀତିରେ କେହି ଅଜୟ ଏବଂ ଅମର ହୋଇ ରହିପାରିବେ ନାହିଁ।