ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକ ଶୁଭାଂଶୁ ଶୁକ୍ଲା ଖୁବ୍ ଶୀଘ୍ର ମହାକାଶରୁ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ଆକ୍ସିୟମ୍-୪ ମିଶନ ଅଧୀନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାଇଥିବା ଶୁଭାଂଶୁ ଜୁଲାଇ ୧୫ ଦିନ ପ୍ରାୟ ୩ଟାରେ ପୃଥିବୀରେ ଅବତରଣ କରିପାରନ୍ତି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ, କ୍ରୁ ଡ୍ରାଗନ୍ ମହାକାଶଯାନର ଅନଡକ୍ ପ୍ରକ୍ରିୟା ୧୪ ଜୁଲାଇ ଅପରାହ୍ନ ୪:୩୦ ରେ ଆରମ୍ଭ ହେବ। ଏବେ ପ୍ରଶ୍ନ ଉଠୁଛି ଯେ, ମହାକାଶରୁ ପୃଥିବୀକୁ ଫେରିବାର ଏହି ରୋମାଞ୍ଚକର ଯାତ୍ରା କିପରି ସମାପ୍ତ ହେବ? ଆସନ୍ତୁ ଜାଣିବା….
୧. ଅନଡକିଂ: ଯାନକୁ ମହାକାଶ ଷ୍ଟେସନରୁ ପୃଥକ କରାଯିବ
କ୍ରୁ ଡ୍ରାଗନ୍ ମହାକାଶଯାନ ଧୀରେ ଧୀରେ ISS ରୁ ପୃଥକ ହେବ। ଏହି ପ୍ରକ୍ରିୟାକୁ ଅନଡକ୍ କୁହାଯାଏ। ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ, କିନ୍ତୁ ମହାକାଶଚାରୀମାନେ ଏହାକୁ ସତର୍କତାର ସହ ନିରୀକ୍ଷଣ କରନ୍ତି।
୨. ପୃଥିବୀକୁ ଫେରିବା ପାଇଁ ପ୍ରସ୍ତୁତି
ଅନଡକିଂ ପରେ ମହାକାଶଯାନ ପୃଥିବୀ ଆଡକୁ ଗତି କରିବ। ତା’ପରେ ରକେଟ୍ କୁ ରେଶ୍ଟ୍ରୋଗ୍ରେଡ ବର୍ନ ମାଧ୍ୟମରେ ନିକ୍ଷେପ କରାଯିବ ଯାହା ଦ୍ୱାରା ମହାକାଶଯାନ ପୃଥିବୀର ଗୁରୁତ୍ୱାକର୍ଷଣ କ୍ଷେତ୍ରରେ ପ୍ରବେଶ କରିପାରିବ।
୩. ବାୟୁମଣ୍ଡଳରେ ପ୍ରବେଶ ଏବଂ ପ୍ରଚଣ୍ଡ ଘର୍ଷଣ
ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଏହାକୁ ପ୍ରଚଣ୍ଡ ତାପ ଏବଂ ଘର୍ଷଣର ସମ୍ମୁଖୀନ ହେବାକୁ ପଡିବ। ଏହି ସମୟରେ ମହାକାଶଯାନର ଗତି ପ୍ରାୟ ୨୮,୦୦୦ କିଲୋମିଟର/ଘଣ୍ଟା ହେବ, ଯାହା ଅବତରଣ କରିବା ସମୟରେ ଧୀରେ ଧୀରେ ହ୍ରାସ ପାଇବ।
୪. ପାରାଚୁଟ୍ ସହିତ ସୁରକ୍ଷିତ ଅବତରଣ
ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ପ୍ରଥମେ ଛୋଟ ଏବଂ ପରେ ବଡ଼ ପାରାଚୁଟ୍ ଖୋଲିବ, ଯାହା ମହାକାଶଯାନର ଗତିକୁ ଯଥେଷ୍ଟ ହ୍ରାସ କରିବ। ଏହି ପ୍ରକ୍ରିୟା ମହାକାଶଯାନର ସୁରକ୍ଷିତ ସ୍ଲାସଡାଉନ୍ ଅବତରଣ ସୁନିଶ୍ଚିତ କରେ।
NASA ଅନୁଯାୟୀ, ଯଦି ପାଗ ଅନୁକୂଳ ଥାଏ, ତେବେ ଶୁଭାଂଶୁ ଶୁକ୍ଳା ଏବଂ ତାଙ୍କ ଦଳ କାଲିଫର୍ନିଆ ଉପକୂଳ ନିକଟରେ ସମୁଦ୍ରରେ ଅବତରଣ କରିବେ। NASA ଏହି ଅବତରଣକୁ ସିଧା ପ୍ରସାରଣ ମଧ୍ୟ କରିବ।
୫. ଫେରିବା ସମୟ ଏବଂ ପୁନରୁଦ୍ଧାର
ଅନଡକିଂରୁ ସ୍ଲାସଡାଉନ୍ ପର୍ଯ୍ୟନ୍ତ ପ୍ରକ୍ରିୟାରେ ମୋଟ ୧୨ ରୁ ୧୬ ଘଣ୍ଟା ସମୟ ଲାଗିପାରେ। କ୍ରୁ ଡ୍ରାଗନ୍ ସାଧାରଣତଃ ଆଟଲାଣ୍ଟିକ୍ ମହାସାଗର କିମ୍ବା ମେକ୍ସିକୋ ଉପସାଗରରେ ଅବତରଣ କରେ। ସ୍ପେସଏକ୍ସର ପୁନରୁଦ୍ଧାର ଦଳ ତୁରନ୍ତ ପହଞ୍ଚି ଯାନକୁ ଜାହାଜ ଭିତରକୁ ଉଠାଇ ନେଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରନ୍ତି।
୬. ଶୁଭାଂଶୁ ଶୁକ୍ଳା କ’ଣ ଆଣୁଛନ୍ତି?
ଡ୍ରାଗନ ମହାକାଶଯାନରେ ପ୍ରାୟ ୨୬୩ କିଲୋଗ୍ରାମ ବୈଜ୍ଞାନିକ ଉପକରଣ ଏବଂ ତଥ୍ୟ ଅଣାଯାଉଛି। ଏଥିରେ ନାସାର ହାର୍ଡୱେୟାର ଏବଂ ୬୦ ରୁ ଅଧିକ ମହାକାଶ ପରୀକ୍ଷଣ ସହିତ ଜଡିତ ତଥ୍ୟ ଅନ୍ତର୍ଭୁକ୍ତ।