ଖଲ୍ଲିକୋଟ/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ଖଲ୍ଲିକୋଟ ପୋଲିସ। ସୂଚନା ମୁତାବକ ବାଲୁଗାଁ ଊମା ମହେଶ୍ବର ମନ୍ଦିର ନିକଟରେ ରହୁଥୁବା ସଙ୍ଗୀତା ପାରିମାଣିକ ଶନିବାର ଅପରାହ୍ନରେ ତାଙ୍କ ଝିଅକୁ ବାଲୁଗାଁ ରେଳଷ୍ଟେସନ ୧ ନମ୍ବର ପ୍ଲାଟଫର୍ମରେ ବସାଇ କୌଣସି କାମରେ ଷ୍ଟେସନ ବାହାରକୁ ଯାଇଥିଲେ। କିଛି ସମୟ ପରେ ଫେରି ଦେଖିବା ବେଳକୁ ଝିଅ ସେଠାରେ ନଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ସନ୍ଧାନ ନମିଳିବାରୁ ବାଲୁଗାଁ ରେଳବାଇ ଥାନାରେ ଅଭିଯୋଗ କରିଥିଲେ।
ତେବେ ରବିବାର ସକାଳେ ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ଗୁରାପଲ୍ଲୀ ଟୋଲ ଗେଟ ନିକଟରେ ଉକ୍ତ ନିଖୋଜ ଶିଶୁ କନ୍ୟାକୁ ଦୁର୍ବୁତ୍ତ ଛାଡି ପଳାଇଥିବା ବେଳେ ଜଣେ ଦୋକାନୀ ଶିଶୁ କନ୍ୟାକୁ ଟୋଲ ଗେଟ ନିକଟରୁ ଉଦ୍ଧାର କରି ଖଲ୍ଲିକୋଟ ପୋଲିସ କୁ ସୂଚନା ଦେଇଥିଲେ। ତେବେ ଶିଶୁର ପରିଚୟ ସ୍ପଷ୍ଟ ହୋଇ ନପାରିବାରୁ ପିଲାଟିର ଫଟୋକୁ ସବୁ ଥାନାକୁ ପଠଯିବା ସହ ଚାଇଲ୍ଡ ଲାଇନ୍କୁ ଖବର ଦେଇଥିଲା ଖଲିକୋଟ ପୋଲିସ।
ତେବେ ଥାନାରେ ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ ପିଲାଟିର ମାଆ ଥାନାରେ ପହଞ୍ଚିଥିଲେ। ମାଆଙ୍କୁ ଦେଖି ଶିଶୁଟି ମଧ୍ୟ ଆନନ୍ଦରେ ମାଆ କୋଳକୁ ଦୌଡ଼ି ଯାଇଥିଲା। ମାଆ ଝିଅଙ୍କ ମିଳନରେ ଥାନା ପରିସରରେ ଖୁସିର ଲହରୀ ଖେଳି ଯାଇଥିଲା।
ଖଲ୍ଲିକୋଟ ଥାନା ପକ୍ଷରୁ ଜାରି ହୋଇଥିବା ଫୋଟୋ ଦେଖି ଏବଂ ରେଳବାର ପୁଲିସଠାରୁ ଖବର ପାଇ ମାଆ ଜଣକ ଖଲ୍ଲିକୋଟ ଥାନାରେ ପହଞ୍ଚି ଝିଅ ଫେରି ପାଇଥିଲେ। ଖଲ୍ଲିକୋଟ ପୋଲିସର ତ୍ୱରିତ ପଦକ୍ଷେପ ପାଇଁ ଜଣେ ମାଆ ତାଙ୍କ ନିଖୋଜ ଝିଅ ଫେରିପାଇଥିବାରୁ ଉକ୍ତ ମାଆ ଜଣକ ପୋଲିସକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।