ଭୁବନେଶ୍ବର: ତାଙ୍କ ନାମ ହେଉଛି ସଂଧ୍ୟାରାଣୀ ମାଝୀ, ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ହେଲେ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଉଛି ସେ ବର୍ତ୍ତମାନ ବନିଛନ୍ତି ସରକାରୀ ମହିଳା ଡ୍ରାଇଭର। ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଯେତେ ସବୁ ଗାଡି ଅଛି ତାହାର ଡ୍ରାଇଭର ହେଉଛନ୍ତି ପୁରୁଷ। ହେଲେ ସଂଧ୍ୟା ପ୍ରଥମ ମହିଳା ଭାବେ ସରକାରୀ ଡ୍ରାଇଭର ସାଜିଛନ୍ତି।
ସେ ବର୍ତ୍ତମାନ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି। ଖୋଦ ଉଷା ପାଢୀ ସଂଧ୍ୟାଙ୍କ ନିଯୁକ୍ତି ନେଇ ନିଜ ସାମାଜିକ ଗଣମାଧମରେ ପ୍ରକାଶ କରିଛନ୍ତି। 44 ବର୍ଷ ବୟସର ଏହି ଆଦିବାସୀ ମହିଳାଙ୍କ ଏପରି ସତସାହାସ ନେଇ ସମସ୍ତେ ବେଶ ପ୍ରସଂଶା କରୁଛନ୍ତି। ପୁରୁଷ ପ୍ରାଧ୍ୟାନ୍ୟ ବୃତ୍ତିରେ ଜଣେ ମହିଳା ପ୍ରବେଶ କରି ସେ ଏକ ନୂଆ ରେକର୍ଡ କରିଛନ୍ତି।
ସଂଧ୍ୟାଙ୍କ ସ୍ବାମୀ ହେଉଛନ୍ତି ରାମରାୟ ମାଝୀ। ସେ ମଧ୍ୟ ଜଣେ ଡ୍ରାଇଭର। ସେ ହିଁ ପ୍ରଥମେ ସଂଧ୍ୟାଙ୍କୁ ଡ୍ରାଇଭିଂ ଶିକ୍ଷା ପ୍ରଦାନ କରିଥିଲେ। ଏହାପରେ ସଂଧ୍ୟାଙ୍କୁ ତାଙ୍କ ସ୍ବାମୀ ଏକ ସେକେଣ୍ଡ ହ୍ୟାଣ୍ଡ ନାନୋ କାରଟିଏ କିଣି ଦେଇଥିଲେ। ସେହି କାରରେ ସଂଧ୍ୟା ପ୍ରାୟ ଦଶ ବର୍ଷ ଧରି ଭଡାଗାଡି କରି ଚଳାଇ ଆସୁଥିଲେ।
ହେଲେ ସରକାରୀ ଡ୍ରାଇଭର ହେବା ନିଶା ତାଙ୍କୁ ଘାରିଥିଲା। ଫଳରେ ସେ ଯାଜପୁରର ଏଚଏମଭି ଡ୍ରାଇଭିଂ ତାଲିମ କେନ୍ଦ୍ରରେ ଯୋଗ ଦେଇ ସାର୍ଟିଫିକେଟ ହାସଲ କରିଥିଲେ। ଏହାପରେ ସେ ସରକାରୀ ଚାକିରୀ ପାଇଁ ପରୀକ୍ଷା ଦେଇ ପାଶ କରିଥିଲେ।