ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ କଥା ହୋଇଛନ୍ତି। ବର୍ତ୍ତମାନ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ପିଡିତାଙ୍କ ବିଷୟରେ ରାଜ୍ୟପାଳ ପଚାରି ବୁଝିଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ଏବଂ ଏହାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟପାଳ ବିସ୍ତୃତ ସୂଚନା ମାଗିଛନ୍ତି।
ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଇଛି। ପିଡିତାଙ୍କୁ ସମର୍ଥନ ଯୋଗାଇଦେବା ଏବଂ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ଲାଗି ରାଜ୍ୟପାଳ ଭୁବନେଶ୍ବର ଏମ୍ସର ନିର୍ଦ୍ଦେଶକଙ୍କ ସହ କଥା ହୋଇଛନ୍ତି। ସେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ରାଜ୍ୟରେ ଛାତ୍ରୀମାନଙ୍କର ସୁରକ୍ଷା, ମାନସିକ ସୁସ୍ଥତା ଏବଂ ସମ୍ମାନ ସବୁବେଳେ ସୁରକ୍ଷିତ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ସେ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଦାୟିତ୍ବର ସହ କାର୍ଯ୍ୟ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।