ନୂଆଦିଲ୍ଲୀ: ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇସିଟି) ଆସନ୍ତା ଅଗଷ୍ଟରୁ ଏହାର ପ୍ରଥମ ବ୍ୟାଚ୍ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି। ପ୍ରଥମ ଥର ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖା ଆରମ୍ଭ ହେବା ସହିତ ଭାରତର ଡିଜିଟାଲ ଓ ସୃଜନଶୀଳ ଅର୍ଥବ୍ୟବସ୍ଥାରେ ଜାରି ରହିଥିବା ପରିବର୍ତ୍ତନ ଏକ ନୂତନ ସୋପାନକୁ ଉନ୍ନୀତ ହେବାକୁ ଯାଉଛି। ଏହି ପ୍ରତିଷ୍ଠାନରେ ଛାତ୍ରଛାତ୍ରୀମାନେ ଏଭିଜିସି-ଏକ୍ସଆର (ଏନିମେସନ, ଭିଜୁଆଲ ଇଫେକ୍ଟସ୍, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍ ରିୟଲିଟି) ଭଳି କ୍ଷେତ୍ରରେ ଉଦ୍ୟାଗ ଅନୁକୂଳ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।
ମଇ ୨୦୨୫ରେ ଅନୁଷ୍ଠିତ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ଓ୍ୱେଭ୍ସ) ଅବସରରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆଇଆଇସିଟି ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରିଥିଲେ। ଏହି ଅନୁଷ୍ଠାନକୁ ପ୍ରତିଷ୍ଠିତ ବିଶ୍ୱ ଭାଗିଦାର ଏବଂ ଶିଳ୍ପପତିଙ୍କର ସମର୍ଥନ ରହିଛି । ପ୍ରାରମ୍ଭିକ ଶିକ୍ଷା ବର୍ଷରେ ଏହି ଅନୁଷ୍ଠାନ ଗେମିଂ କ୍ଷେତ୍ରରେ ଛଅଟି ସ୍ୱତନ୍ତ୍ର ପାଠ୍ୟକ୍ରମ, ପୋଷ୍ଟ ପ୍ରଡକ୍ସନରେ ଚାରିଟି ପାଠ୍ୟକର୍ମ ଏବଂ ଏନିମେସନ, କମିକ୍ସ ଓ ଏକ୍ସଆର୍ କ୍ଷେତ୍ରରେ ଆଠଟି ପାଠ୍ୟକ୍ରମ ପ୍ରଚଳନ କରିବାକୁ ଯାଉଛି। ଏହି ପାଠ୍ୟକ୍ରମଗୁଡ଼ିକୁ ଶ୍ରେଷ୍ଠ ଶିଳ୍ପ ସଂସ୍ଥାମାନଙ୍କ ସହଯୋଗରେ ସତର୍କତାର ସହ ଡିଜାଇନ୍ କରାଯାଇଛି। ଚିର ପରିବର୍ତ୍ତନଶୀଳ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ପାଇଁ ଏସବୁ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ଦକ୍ଷତାରେ ପ୍ରଶିକ୍ଷିତ କରିବ।
ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ପ୍ରତିଷ୍ଠାନ ନିକଟରେ ବ୍ରିଟେନର ୟର୍କ ବିଶ୍ୱବିଦ୍ୟାଳୟ ସହିତ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଫଳରେ ସହଯୋଗୀ ଗବେଷଣା, ଅଧ୍ୟାପକ ବିନିମୟ ଏବଂ ବିଶ୍ୱ ପ୍ରମାଣପତ୍ର ପଥ ପାଇଁ ପଥ ପ୍ରଶସ୍ତ ହୋଇଛି। ଗୁଗୁଲ୍, ୟୁଟ୍ୟୁବ୍, ଏଡୋବ୍, ମେଟା, ମାଇକ୍ରୋସଫ୍ଟ, ଏନଭିଆଇଡିଆଇଏ ଏବଂ ଜିଓଷ୍ଟାର ଭଳି ବିଶ୍ୱସ୍ତରୀୟ କମ୍ପାନୀ ଆଇଆଇସିଟି ସହ ଦୀର୍ଘକାଳୀନ ସହଯୋଗ ନିମନ୍ତେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି। ସେମାନଙ୍କର ସମର୍ଥନରେ ପାଠ୍ୟକ୍ରମ ବିକାଶ, ଛାତ୍ରବୃତ୍ତି, ଇଣ୍ଟର୍ନସିପ୍, ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ।
ଆଇଆଇସିଟିର ସିଇଓ ଡକ୍ଟର ବିଶ୍ୱାସ ଦେଉସ୍କର କହିଛନ୍ତି ଯେ ସେମାନଙ୍କର ଲକ୍ଷ୍ୟ ହେଉଛି ବିଶ୍ୱସ୍ତରୀୟ ପ୍ରତିଭାଙ୍କୁ ପ୍ରୋତ୍ସାହନ ପ୍ରଦାନ କରି ଏଭିଜିସି-ଏକ୍ସଆର କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ ମହାଶକ୍ତିରେ ପରିଣତ କରିବା। ଭାରତର ଗତିଶୀଳ ସୃଜନଶୀଳ ସମ୍ଭାବନାକୁ ଆଧାର କରି ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବା ପାଇଁ ଏହି ପାଠ୍ୟକ୍ରମଗୁଡ଼ିକୁ ଡିଜାଇନ୍ କରାଯାଇଛି। ଚଳିତ ମାସ ଶେଷରେ ବିସ୍ତୃତ ପାଠ୍ୟକ୍ରମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।
ଆଇଆଇସିଟିର ପ୍ରଶାସନିକ ବୋର୍ଡରେ ସଞ୍ଜୟ ଜାଜୁ, ବିକାଶ ଖର୍ଗେ, ସ୍ୱାତୀ ମହସେ, ଚନ୍ଦ୍ରଜିତ ବାନାର୍ଜୀ, ଆଶୀଷ କୁଲକର୍ଣ୍ଣି, ମାନବେନ୍ଦ୍ର ଶୁକୁଲ ଏବଂ ରଞ୍ଜନ ନବାନୀ ରହିଛନ୍ତି। ସେହିପରି ପରିଚାଳନା ପରିଷଦ ସଦସ୍ୟଙ୍କ ମଧ୍ୟରେ ମୁଞ୍ଜାଲ ଶ୍ରଫ୍, ଚୈତନ୍ୟ ଚିଚଲିକର, ବୀରେନ ଘୋଷ, ଭୂପେନ୍ଦ୍ର କଇଁଥୋଲା ଗୌରବ ବାନାର୍ଜୀଙ୍କୁ ରଖାଯାଇଛି।
ବିଶ୍ୱବ୍ୟାପୀ ଏଭିଜିସି-ଏକ୍ସଆର ଶିଳ୍ପ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆକଳନ କରାଯାଉଛି। ଆଇଆଇସିଟିର ବ୍ୟାପକ ପାଠ୍ୟକ୍ରମ ପ୍ରଦାନର ଲକ୍ଷ୍ୟ ହେଉଛି ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭା ଭଣ୍ଡାର ନିର୍ମାଣ କରିବା ଯାହା ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେବ। ଏଥିସହିତ ଦେଶକୁ ଇମର୍ସିଭ୍ ଏବଂ ଡିଜିଟାଲ୍ ବିଷୟବସ୍ତୁ ପ୍ରଯୁକ୍ତିବିଦ୍ୟାରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ସ୍ଥାନିତ କରିବ।