ନୂଆଦିଲ୍ଲୀ: ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖର। ଆଜି ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ଆଜି ସଂସଦର ଅଧିବେସନ ଆରମ୍ଭ ହୋଇଛି। ଏପରି କ୍ଷେତ୍ରରେ ସେ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ତେବେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। “ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏବଂ ଡାକ୍ତରୀ ପରାମର୍ଶ ପାଳନ କରିବା ପାଇଁ, ମୁଁ ସମ୍ବିଧାନର ଧାରା 67(କ) ଅନୁଯାୟୀ ତୁରନ୍ତ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି,” ସେ ଇସ୍ତଫା ପତ୍ରରେ ଏହା କହିଛନ୍ତି। ଧନକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ ତାଙ୍କର ସହଯୋଗ ଓ ପରାମର୍ଶ ମୋ ପାଇଁ ବେଶ ମୂଲ୍ୟବାନ।