ଭୁବନେଶ୍ଵର: ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ନିମନ୍ତେ ୨୦୨୪ ବର୍ଷ ପାଇଁ ପ୍ରତିଷ୍ଠିତ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଓ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଚଳିତ ବର୍ଷ ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣଙ୍କୁ ସନ୍ଥ କବୀର ପୁରସ୍କାର ଏବଂ ୧୯ ଜଣଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯିବ। ଏକାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ଅବସରରେ ରାଷ୍ଟ୍ରପତି ଆସନ୍ତା ଅଗଷ୍ଟ ୭ ତାରିଖ ଗୁରୁବାର ଦିନ ଦିଲ୍ଲୀର ଭାରତ ମଣ୍ଡପମଠାରେ ଏହି ପୁରସ୍କାର ପ୍ରଦାନ କରିବେ।
କାର୍ଯ୍ୟକ୍ରମରେ କେନ୍ଦ୍ର କପଡା ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ରହିବେ। ସନ୍ଥ କବୀର ପୁରସ୍କାର ରୂପେ ନଗଦ ସାଢେ ୩ ଲକ୍ଷ ଟଙ୍କା, ସ୍ବର୍ଣ୍ଣ ମୁଦ୍ରା, ତାମ୍ର ପତ୍ର, ସାଲ ଓ ମାନପତ୍ର ପ୍ରଦାନ କରାଯିବ। ସେହିପରି ଜାତୀୟ ହସ୍ତତନ୍ତ ପୁରସ୍କାର ରୂପେ ନଗଦ ୨ ଲକ୍ଷ ଟଙ୍କା, ତାମ୍ର ପତ୍ର, ସାଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ।